ମୌସୁମୀ

ହିମାଚଳରେ ପ୍ରକୃତିର ତାଣ୍ଡବ, ମୂଷଳଧାର ବର୍ଷା ପାଇଁ ପରିସ୍ଥିତି ଭୟଙ୍କର ।

ହିମାଚଳପ୍ରଦେଶ ୦୧/ଜୁଲାଇ :ହିମାଚଳ ପ୍ରଦେଶ ବର୍ତ୍ତମାନ ପ୍ରକୃତିର ତାଣ୍ଡବ ମୁହାଁ ହୋଇଛି। ଲଗାତାର ମୂଷଳଧାର ବର୍ଷାରେ ରାଜ୍ୟର ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇଯାଇଛି । ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡ଼ିଛି, ନଦୀ ଫୁଲି ସ୍ଥଳଭାଗ ମୁହାଁ ହୋଇଯାଇଛି । ବାଦଲ ଫଟା ବର୍ଷା ଫଳରେ କୁଲୁ, ମଣ୍ଡି ଓ ରାମପୁର ଅଞ୍ଚଳରେ ପ୍ରଳୟ ସୃଷ୍ଟି ହୋଇଛି । ରାମପୁରରେ ଏକ ଗାଁରୁ ୩୦ରୁ ଅଧିକ ଲୋକ ନିଖୋଜ ହେବାର ଖବର ମିଳିଛି, ତେବେ କୁଲୁରେ ପାର୍ବତୀ ନଦୀ କୂଳ ଭାଙ୍ଗି ଏକ ବିଲ୍ଡିଂ ଭୁଶୁଡ଼ି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ବର୍ଷା ପାଇଁ ଗତ ୧୦ ଦିନରେ ୪୪ ଜଣଙ୍କ ମୃତ୍ୟୁ ହୋଇଛି । ମଣ୍ଡି ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ଗଛ, ଘର, ରାସ୍ତା ସବୁ କିଛି ବର୍ଷା ଓ ଭୂସ୍ଖଳନ ପାଇଁ ଧ୍ବଂସ ହୋଇଯାଇଛି । ଧିରେ ଧିରେ ବର୍ଷା ପାଣି ନଦୀ ମାର୍ଗରେ ବଢ଼ି ଅନେକ ଘରକୁ ବୁଡ଼ାଇ ଦେଉଛି । ଗୋଟେ ପରିବାର ନାଳରେ ଭାସିଯିବାର ଖବର ମିଳିଛି । ବର୍ତ୍ତମାନ ୧୮ ଜଣ ନିଖୋଜ ଅଛନ୍ତି ଓ ୧୩ ଆହତ ହୋଇଛନ୍ତି । ମଣ୍ଡିରେ ୧୫ ଘଣ୍ଟା ଧରି ଲଗାତାର ବର୍ଷା ହେବାରୁ ସ୍ଥିତି ଆହୁରି ଭୟଙ୍କର ହେଉଛି, ଯାହାକୁ ଦେଖି ସ୍ଥାନୀୟ ପ୍ରଶାସନ ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିଦେଇଛି ।ସରକାରୀ ତଥ୍ୟ ଅନୁଯାୟୀ ୧୩୦ ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି, ୬୦୦ ଟି ବେଶି ଟ୍ରାନ୍ସଫରମର ବନ୍ଦ ଓ ୨୬୧ ରାସ୍ତା ବନ୍ୟା ଓ ଭୂସ୍ଖଳନ ପାଇଁ ଅବରୋଧ ହୋଇଛି । ବିଭିନ୍ନ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି, ୩୯ ଜଣଙ୍କୁ ପାଣିରୁ ବାହାର କରାଯାଇଛି । ନଦୀ ଓ ପାହାଡ଼ ର ଆକ୍ରମଣ ରୂପ ଦେଖି ଲୋକ ଭୟଭୀତ ଓ ଅସହାୟ ଅବସ୍ଥାରେ ଅଛନ୍ତି । ପ୍ରକୃତିର ଏହି କରାଳ ରୂପ ମାନବ ସମାଜ ପାଇଁ ଏକ ବଡ ଚେତାବନୀ ହେବା ସନ୍ଦେହ ନାହିଁ ।

 

Related Articles

Back to top button