ବିଏମ୍ସିର ଢିଲା ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନ, ଏବେ ବିଏମ୍ସି ନିଜେ ନେବ ସୁରକ୍ଷା ଦାୟିତ୍ବ ।

ଭୁବନେଶ୍ୱର ୦୩/ଜୁଲାଇ : ବିଏମ୍ସି କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଆକ୍ରମଣ ପରେ ଥିବା ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍, ଜଗନ୍ନାଥ ପ୍ଲେସ୍ମେଣ୍ଟ ଆଣ୍ଡ ସିକ୍ୟୁରିଟି ସର୍ଭିସ୍ ଏବଂ ସମ୍ପୃକ୍ତ ଅଧିକାରୀମାନେ ଅଂଶ ନେଇଥିଲେ। ବୈଠକରେ ମେୟର ପ୍ରଶ୍ନ କରିଥିଲେ ସିସିଟିଭି କାହିଁକି କାମ କରୁନାହିଁ? ସୁରକ୍ଷା କର୍ମୀମାନେ ଆକ୍ରମଣକାରୀଙ୍କୁ ଆୟତ୍ତ କାହିଁକି କରିପାରିଲେନାହିଁ? ଏହି ଘଟଣା ପରେ ମେୟର ଘୋଷଣା କରିଛନ୍ତି ଯେ, ବର୍ତ୍ତମାନରୁ ବିଏମ୍ସି ନିଜେ ଅଫିସ୍ ସୁରକ୍ଷାର ଦାୟିତ୍ବ ନେବ। ପୂର୍ବରୁ ସ୍ମାର୍ଟ ସିଟି ଲିମିଟେଡ୍ ଅଧୀନରେ ଥିବା ସୁରକ୍ଷା ବ୍ୟବସ୍ଥା ବଦଳି ଏବେ ବିଏମ୍ସି ନିଜ ହାତରେ ରଖିବ। ଅଧିକ ଲୋକ ଅନାବଶ୍ୟକ ଭାବେ ଭିତରକୁ ପ୍ରବେଶ କରିପାରିବେନି। ଘଟଣା ଦିନ ସୁରକ୍ଷାରେ ଥିବା କର୍ମଚାରୀମାନେ ଡରୁଥିଲେ, ତେଣୁ ସେମାନଙ୍କୁ ବଦଳାଯାଇ ନୂଆ ଟିମ୍ ରଖାଯାଇଛି। ସିସିଟିଭି ମୂଲକ ସୁରକ୍ଷା ବ୍ୟବସ୍ଥା ବିଷୟରେ ବିଏମ୍ସି କଠୋର ଅବସ୍ଥାନ ଗ୍ରହଣ କରିଛି। ୩ ମାସ ହେଉଛି ସିସିଟିଭି ଖରାପ ହୋଇଛି ବୋଲି ମେୟର ଆଭିଯୋଗ କରିଛନ୍ତି, କିନ୍ତୁ ବିଏସ୍ସିଏଲ୍ ଏହାକୁ ଗମ୍ଭୀର ଭାବରେ ନେଇନଥିଲେ। ଏବେ ବିଏମ୍ସି ନିଜେ ଏହି ରକ୍ଷଣାବେକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାକୁ ଦେଖିବା ନିଷ୍ପତ୍ତି ନେଇଛି, ଯାହା ଡେଲଏଟ୍ କମ୍ପାନି ଭଳି ଉଦାହରଣରେ କାର୍ଯ୍ୟ କରାଯିବ। ଏହା ଆଶା କରାଯାଉଛି ଯେ ଆଗାମୀ ଦିନରେ ଏଭଳି ଅଘଟଣ ହେବାର ସମ୍ଭାବନା କମିଯିବ।