ଓଡ଼ିଶା

ବିରୋଧୀ ବିଜେଡି ଏବଂ କଂଗ୍ରେସ “ଡାହଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି”: ଶ୍ରୀମତୀ ଅପରାଜିତା ଷଡଙ୍ଗୀ

 

ଭୁବନେଶ୍ୱର, ତା.୧୭/୦୭: ବାଲେଶ୍ୱର ଏଫ.ଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀ ବିଶି ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟବିଦାରକ, ଯାହା ଆମ ସମସ୍ତଙ୍କୁ ବ୍ୟଥିତ କରିଛି । ବିରୋଧୀ ଦଳ ଭାବେ କଂଗ୍ରେସ ଓ ବିଜେଡିକୁ ଆନ୍ଦୋଳନ କରିବାର ସଂପୂର୍ଣ୍ଣ ଅଧିକାର ରହିଛି, ମାତ୍ର ଅସହିଷ୍ଣୁ ହୋଇ ହୀନ ରାଜନୀତି କରି ଅଗଣତାନ୍ତ୍ରୀକ ଉପାୟରେ ବାତାବରଣ ନଷ୍ଟ କରିବା ଅନୁଚିତ୍ । ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ପୂର୍ବରୁ ନିଜ ଶାସନ କାଳର କାର୍ଯ୍ୟକଳାପକୁ ଉଭୟ ବିଜେଡି ଓ କଂଗ୍ରେସ ଦଳ ଆତ୍ମସମୀକ୍ଷା କରିବା ଉଚିତ୍ ଥିଲା । ନିଜ ନିଜ ଶାସନ କାଳରେ କଂଗ୍ରେସ ଦଳ ୪୦ ବର୍ଷ ଏବଂ ବିଜେଡି ୨୪ ବର୍ଷ ଧରି ରାଜ୍ୟରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ପାଇଁ କାର୍ଯ୍ୟ କରିଥିଲେ, ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା । ନିଜ ଇତିହାସକୁ ଭୁଲି ଯାଇ ଉଭୟ ଦଳ ଦୋଷାରୋପଣ ରାଜନୀତି କରୁଛନ୍ତି । କଂଗ୍ରେସ ଦଳର ରାଷ୍ଟ୍ରୀୟ ସଭାନେତ୍ରୀ ଦିଲ୍ଲୀରୁ ବାତାବରଣ ଅଶାନ୍ତ କରିବାକୁ ଓଡିଶା ଆସିଛନ୍ତି । ନାରୀ ସୁରକ୍ଷା ପ୍ରସଙ୍ଗରେ ଅଶାନ୍ତି ସୃଷ୍ଟି କରିବାକୁ କଂଗ୍ରେସ ଓ ବିଜେଡିର କୌଣସି ପ୍ରକାର ନୈତିକ ଅଧିକାର ନାହିଁ । ସେମାନଙ୍କ ଆଚରଣ ଓ ଉଚାରଣରୁ ଏହା ସ୍ପଷ୍ଟ ହେଉଛି ଯେ; ବିରୋଧୀ ବିଜେଡି ଓ କଂଗ୍ରେସ “ଡାହଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି” । କେବଳ ଅସ୍ତିତ୍ୱ ବଜାୟ ରଖିବା ଓ ନ୍ୟୁଜରେ ରହିବା ହେଉଛି ଉଭୟ ଦଳର ପ୍ରକୃତ ଉଦ୍ଦେଶ୍ୟ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।
ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, ମହିଳା ସୁରକ୍ଷା ଆମ ଦାୟୀତ୍ୱ ଓ ପ୍ରାଥମିକତା । ଏଫ୍‌ଏମ୍ କଲେଜ ଘଟଣାର ଗଭୀରତା ଓ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଠୋର ପଦକ୍ଷେପ ନେଇଛନ୍ତି । ଏହି ଘଟଣା ରାଜ୍ୟ ସରକାରଙ୍କ ସଂଜ୍ଞାନକୁ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ହେବା ପୂର୍ବରୁ କାର୍ଯ୍ୟାନୁଷ୍ଠାନ ନିଆଗଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ଅଭିଯୁକ୍ତ ଅଧ୍ୟାପକଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରାଯାଇ କୋର୍ଟ ଚାଲାଣ କରାଗଲା । ଉକ୍ତ ଦିନ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ରାଜ୍ୟ ସରକାରଙ୍କ ତରଫରୁ ତୁରନ୍ତ ରିପୋର୍ଟ ମଗାଯାଇଥିଲା । ମାତ୍ର ୨୪ ଘଂଟା ମଧ୍ୟରେ ପ୍ରାଥମିକ ରିପୋର୍ଟ ଆସିଥିଲା । ଉକ୍ତ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, କଲେଜ ଅଧ୍ୟକ୍ଷକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ରାଜ୍ୟସକରାର ନିଷ୍ପତି ନେଇଥିଲେ । ପୀଡ଼ିତାଙ୍କ ଚିକିତ୍ସା ଭୁବନେଶ୍ୱରସ୍ଥିିତ ଏମ୍ସ ହସ୍ପିଟାଲରେ କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ପହଂଚି ବାରମ୍ବାର ପୀଡ଼ିତାଙ୍କ ମା’ବାପା ଓ ତାଙ୍କ ପରିବାର ସହ ଆଲୋଚନା କରିଥିଲେ । ଏଥି ସହ ଡାକ୍ତରମାନଙ୍କ ସହ ଯୋଗଯୋଗ କରି ପୀଡ଼ିତାଙ୍କ ସ୍ୱାସ୍ଥ୍ର‌୍ୟାବସ୍ଥା ବିଷୟରେ ପଚାରି ବୁଝୁଥିଲେ । ପୀଡ଼ିତାଙ୍କୁ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ଏକ ଡାକ୍ତରୀ ବିଶେଷଜ୍ଞ ଦଳ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଥିଲା । ଏହି ଘଟଣା ଘଟିବା ସମୟରେ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଓଡିଶା ଆସି ବିମାନବନ୍ଦରରୁ ସିଧାସଳଖ ଏମ୍ସ ମେଡିକାଲ ଯାଇ ପୀଡ଼ିତାଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେଠାରେ ପୀଡ଼ିତାଙ୍କ ମା’ ବାପାଙ୍କୁ ଭେଟି ଆଶ୍ୱସନା ଦେବା ସହ ଡାକ୍ତରୀ ବିଶେଷଜ୍ଞଙ୍କ ସହ ଆଲୋଚନା କଲେ । ପୀଡ଼ିତାଙ୍କ ଚିକିତ୍ସାରେ ଯେପରି କୌଣସି ପ୍ରକାର ଅବହେଳା ନ ହେବ ସେଥିପ୍ରତି ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ମୁଖ୍ୟମନ୍ତ୍ରୀ ପୁଣି ଥରେ ମଧ୍ୟ ମହାମହିମ ରାଷ୍ଟ୍ରପତିଙ୍କ ସହ ପୀଡ଼ିତାଙ୍କୁ ଭେଟିଥିଲେ । ଏହି ଘଟଣାରେ ରାଜ୍ୟ ସରକାର କେତେ ସମ୍ବେଦନଶୀଳ ତାହା ଏଥିରୁୁ ସ୍ପଷ୍ଟ ହେଉଛି ।
ବିଜୁ ଜନତା ଦଳ ରାଜ୍ୟରେ ୨୪ ବର୍ଷ ଧରି ଶାସନରେ ଥିଲା । ତାଙ୍କ ସରକାର ସମୟରେ କେଉଁ ପ୍ରକାର କେଳଙ୍କାରୀ ହୋଇଥିଲା ତାହା ସମସ୍ତଙ୍କୁ ଜଣା ଅଛି । ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥରେ ବି ଚିକିତ୍ସାଧୀନ ପୀଡିତାଙ୍କୁ ଦେଖା କରିବାକୁ ଯାଇଥିଲେ କି? ମାତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨ ଥର ପୀଡ଼ିତାଙ୍କୁ ଭେଟିବା ସହ କିପରି ଚିକିତ୍ସା ପ୍ରଦାନ କରାଯାଉଛି ତା’ଉପରେ ନଜର ରଖିଥିଲେ । ଏପରିକି ଆବଶ୍ୟକ ପଡ଼ିଲେ ପୀଡ଼ିତାଙ୍କୁ ଏୟାରଲିଫିଂ କରି ଦିଲ୍ଲୀ ନେବାକୁ ମଧ୍ୟ କହିଥିଲେ । ବିଜେଡି ସରକାର ପୂର୍ବରୁ ରାଜ୍ୟରେ କଂଗ୍ରେସର ସରକାର ଥିଲା । ସେତେବେଳେ ମହିଳାମାନଙ୍କ ଉପରେ ଅନେକ ଅତ୍ୟାଚାର ହୋଇଥିଲା । ମାତ୍ର ବିଗତ ସରକାର ସମୟରେ କେବେବି ରାଷ୍ଟ୍ରପତି ଯାଇ ପୀଡ଼ିତାଙ୍କୁ ଭେଟିଥିଲେ କି? କିନ୍ତୁ ଏଥର ରାଷ୍ଟ୍ରପତି ନିଜ ଆଡ଼ୁ ପୀଡିତାଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ରାଜ୍ୟରେ ବିଜେପି ସରକାର ଗଠନ କରିବାର ମାତ୍ର ୧ ବର୍ଷ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ୩ ଥର ଇଂଟରନାଲ କପ୍ଳେନ କମିଟି(ଆସିସି) କାର୍ଯ୍ୟାଧାରକୁ ନେଇ ସମୀକ୍ଷା କରାଯାଇଛି । ମହାମହିମ ରାଜ୍ୟପାଳ ମଧ୍ୟ ପୂର୍ବରୁ ଆଇସିସିର ସମୀକ୍ଷା କରିଥିଲେ । ସେଥିପାଇଁ ଏଫ୍‌ଏମ୍ କଲେଜରେ ଆଇସିସି କାର୍ଯ୍ୟକ୍ଷମ ଥିଲା । ଏହି ଘଟଣା ଘଟିବା ପରେ ଗତ ୨ ଦିନରେ ମଧ୍ୟରେ ରାଜ୍ୟର ସମସ୍ତ ମହାବିଦ୍ୟାଳୟଗୁଡ଼ିକୁ ଚିଠି କରାଯାଇ ଇଂଟରନ୍ୟାଲ କପ୍ଲେନ କମିଟି ଗୁଡ଼ିକର ସ୍ଥିତି ସମ୍ପର୍କରେ ପଚରାଯାଇଛି । ଯଦି କମିଟି ଗଠନ ହୋଇନାହିଁ ତୁରନ୍ତ ଗଠନ କରାଯାଉ । ଯଦି କମିଟି ପୂର୍ବରୁ ରହିଛି ତାହାର ସଦସ୍ୟମାନଙ୍କର ତାଲିକା ଜନସାଧାରଣଙ୍କୁ ୨୪ ଘଂଟା ମଧ୍ୟରେ ଅବଗତ କରାଯାଉ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ନାରୀ ହିଂସା ମାମଲାରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର । ଏହି ଘଟଣାରେ ଆଉ ମଧ୍ୟ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଛଡ଼ା ଯିବନାହିଁ । ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁ୍‌ଷ୍ଠାନ ନେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ । ଖାଲି ସେତିକି ନୁହେଁ ଆଗାମୀ ଦିନରେ କୌଣସି ଶିକ୍ଷାନୁଷ୍ଠାନରେ ଯେପରି ଏପରି ଘଟଣାର ପୁନରାବୃତି ନ ଘଟିବ ସେନେଇ ତୁରିତ୍ୱ ପଦକ୍ଷେପ ନେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।
ଛାତ୍ରୀ ଆତ୍ମାହୂତି ଦେବା ପଛରେ ଛାତ୍ର କଂଗ୍ରେସର ନେତାମାନେ ଉସ୍‌କାଇଥିବା ପ୍ରମାଣ ସାମାଜିକ ଗଣମାଧ୍ୟମରେ ରହିଛି । ଗତକାଲି ମୃତା ଛାତ୍ରୀଙ୍କ ଭାଇ ଭୋଗରାଇ ଥାନାରେ ଏକ ଏଫ୍‌ଆଇଆର୍ ଦେଇଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି, ‘କଂଗ୍ରେସ ଓ ବିଜେଡିର କର୍ମୀମାନଙ୍କ ପାଇଁ ତାଙ୍କ ପରିବାର ସଦସ୍ୟ ଅସୁରକ୍ଷିତ ମନେ କରୁଛନ୍ତି । ଉଭୟ ଦଳର କର୍ମୀ ଲଗାତାର ସେମାନଙ୍କୁ ହଇରାଣ କରୁଛନ୍ତି’ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ଚିନ୍ତାଜନକ । ରାଜ୍ୟ ସରକାର ଏହି ଦୁଃଖରେ ସମ୍ପୂର୍ଣ୍ଣଭାବେ ତାଙ୍କ ପରିବାର ସହ ଛିଡ଼ା ହୋଇଛନ୍ତି । ରାଜ୍ୟର ସବୁ ମହିଳା ଓ ଝିଅମାନଙ୍କ ସହ ରାଜ୍ୟ ସରକାର ରହିଛନ୍ତି । ସେମାନଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । ଯେଉଁମାନେ ଏସବୁ ମାମଲାରେ ଲିପ୍ତ ହେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁ୍‌ଷ୍ଠାନ ନିଆଯିବ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରି ଦେଇଛନ୍ତି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ ଓ ମୁଖପାତ୍ର ସୁଦିପ୍ତ ରାୟ ଉପସ୍ଥିତ ଥିଲେ ।

 

Related Articles

Back to top button