
ନୂଆଦିଲ୍ଲୀ ୨୧/ଜୁଲାଇ : କେନ୍ଦ୍ର ସରକାର ଆସନ୍ତା ସୋମବାରରୁ ଆରମ୍ଭ ହେଉଥିବା ସଂସଦୀୟ ଅଧିବେଶନରେ “ଅପରେସନ ସିନ୍ଦୂର” ଓ “ପହଲଗାମ ଆତଙ୍କବାଦୀ ଆକ୍ରମଣ” ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ବିଷୟଗୁଡ଼ିକ ଜାତୀୟ ଗୁରୁତ୍ୱ ରଖିଥିବା ପ୍ରସଙ୍ଗ ଓ ଦେଶର ସୁରକ୍ଷା ସମ୍ପର୍କିତ ଅତ୍ୟନ୍ତ ଗମ୍ଭୀର ମାମଲା ଅଟେ, ତେଣୁ ସରକାର ଏପରି କୌଣସି ଆଲୋଚନାରୁ ପଛଘୁଞ୍ଚିବ ନାହିଁ। ଅନ୍ୟପକ୍ଷରେ, ବିରୋଧୀ ଦଳଗୁଡ଼ିକ ଅପରେସନ ସିନ୍ଦୂର ପ୍ରତିକ୍ରିୟା ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବି ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ସପଷ୍ଟ ଉତ୍ତର ଚାହିଁଛନ୍ତି। କଂଗ୍ରେସ ଉପନେତା ଗୌରବ ଗୋଗୋଇ କହିଛନ୍ତି ଯେ ଏହି ଦାବି ଭାରତର ମର୍ଯ୍ୟାଦା ଓ ସେନାର ସ୍ୱାଭିମାନକୁ ପ୍ରଶ୍ନରେ ରଖିଛି। ପହଲଗାମ ଆକ୍ରମଣ ପରେ ଏହି ପ୍ରଥମ ସଂସଦୀୟ ବୈଠକ ରହିଛି ଯେଉଁଠାରେ ସରକାର ଆତଙ୍କବାଦୀ ଭିତ୍ତିଭୂମି ଉପରେ ଭାରତୀୟ ସେନାର ସାମରିକ ପ୍ରତିକ୍ରିୟା ଓ ଅପରେସନ ସିନ୍ଦୂର ରେ ହାସଲ ହୋଇଥିବା ସଫଳତା ଉପସ୍ଥାପନ କରିବ। ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏଥିରେ ଏକ ବିସ୍ତୃତ ବିବୃତ୍ତି ଦେଇପାରିବେ ବୋଲି ଅନୁମାନ କରାଯାଉଛି। ଏହାସହ ବିରୋଧୀ ଦଳ ଆପ୍ରିଲ ୨୨ ରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ନିଃସହାୟ ନାଗରିକଙ୍କ ମୃତ୍ୟୁ, ଗୋଇନ୍ଦା ବିଫଳତା ଓ ଟ୍ରମ୍ପଙ୍କ ବୟାନକୁ ନେଇ ସରକାରକୁ ଜବାବଦେହୀ କରିବାକୁ ଯୋଜନା କରୁଛନ୍ତି। ଏହି ଆଲୋଚନା ଜାତୀୟ ରଣନୀତି ଓ ସେନା ନୀତି ଉପରେ ଏକ ସ୍ପଷ୍ଟ ସନ୍ଦେଶ ଦେବ ଏବଂ ଆଗାମୀ ଦିନରେ ଭାରତର ଆତଙ୍କବାଦ ବିରୋଧୀ ଅଭିଗମକୁ ଅଭିନବ ଦୃଷ୍ଟିକୋଣ ଦେଇପାରିବ।