
ଭୁବନେଶ୍ୱର,ଘାଣ୍ଟିବ ସିବିଆଇ, ଖୋଲିବ ଗୁମର। ପୋଲିସ SI ନିଯୁକ୍ତି କେଳେଙ୍କାରୀର ଧରାପଡ଼ିବେ ବଡ଼ ମାଛ। ବହୁ ଚର୍ଚ୍ଚିତ ପୋଲିସ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ତଦନ୍ତ ଭାର ନେଇପାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ- ସି.ବି.ଆଇ। ଏବେ ଏ ମହାଘୋଟାଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍। କ୍ରାଇମବ୍ରାଞ୍ଚ୍ ଅନୁସଂଧାନ ବେଳେ ଏ ମହା ଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସହିତ ଅନ୍ୟ ରାଜ୍ୟକୁ ବ୍ୟାପିଥିବାର ପ୍ରମାଣ ମିଳିଛି। ଦୁର୍ନୀତିରେ ଆନ୍ତ-ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି। ସେ ଦୃଷ୍ଟିରେ ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ କରିବା ଏବଂ ଏଥିରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମାମଲାର ତଦନ୍ତ ଭାର ସି.ବି.ଆଇକୁ ଦେବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସବୁଠୁ ବଡ଼ ନିଯୁକ୍ତି କେଳେଙ୍କାରୀ କୁହାଯାଉଥିବା ଏ ମାମଲାରେ ଏଯାଏଁ ଗିରଫ ହେଲେଣି ୧୨୩ ଅଭିଯୁକ୍ତ। କିନ୍ତୁ ଘଟଣାର ମାଷ୍ଟର ମାଇଣ୍ଡ କିଏ, କେଉଁ ବଡ଼ ଅଧିକାରୀଙ୍କ ସଂପୃକ୍ତି ଅଛି, ଏଥିରେ ଓପିଆରବିର ଭୂମିକା କଣ, ସେ ରହସ୍ୟ ଏଯାଏଁ ଭେଦି ପାରିନି କ୍ରାଇମବ୍ରାଞ୍ଚ। ତେଣୁ ସିବିଆଇ ତଦନ୍ତ ହେଲେ ହିଁ ଏସବୁ ଦିଗ, ପ୍ରକୃତ ଦୋୀ ସାମ୍ନାକୁ ଆସିବେ ବୋଲି ପୂର୍ବରୁ ଦାବି କରି ଆସୁଥିଲା ଷ୍ଟୁଡେଣ୍ଟ ଏଗେନଷ୍ଟ କରପ୍ସନ ସଂଗଠନ। ଏବେ ରାଜ୍ୟ ସରକାର ସେ ଦାବି ପୂରଣ ପାଇଁ ପଦକ୍ଷେପ ନେଉଥିବାରୁ ଏହାକୁ ସ୍ବାଗତ କରିଛି ଏ ଛାତ୍ର ସଂଗଠନ।
ସେପଟେ ସିବିଆଇ ତଦନ୍ତ ସୁପାରିସ ସାଙ୍ଗକୁ ପୋଲିସ ଏବଂ ଅନ୍ୟାନ୍ୟ ପୋଷାକଧାରୀ ସେବାରେ କର୍ମଚାରୀ ଚୟନ ପାଇଁ ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର ସୂଚନା ଦେଇଛନ୍ତି।