ପାଖେଇ ଆସୁଛି ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ, ଉଦ୍ଘାଟିତ ହେଲା ଅସ୍ଥାୟୀ କାର୍ଯ୍ୟାଳୟ

ଭୁବନେଶ୍ୱର, ୨୩ ଅକ୍ଟୋବର : ରାଜଧାନୀ ଭୁବନେଶ୍ୱରରେ ଆସନ୍ତା କିଛି ଦିନ ପରେ ଆରମ୍ଭ ହେବ ଲୋକପ୍ରିୟ ବାଲିଯାତ୍ରା ମହୋତ୍ସବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି। ଗୁରୁବାର ଦିନ କୁଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ନିର୍ମିତ ଅସ୍ଥାୟୀ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ ବାଲିଯାତ୍ରା କମିଟି ସଭାପତି ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ବାଲିଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା, ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, କୋଷାଧ୍ୟକ୍ଷ ତପନ କୁମାର ଦାଶ, ବୀରେନ୍ଦ୍ର ଜେନା ସହ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ବର୍ଷ ବାଲିଯାତ୍ରା ନଭେମ୍ବର ୫ ରୁ ୧୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ସମୟସୀମା ଭିତରେ ବଣିଜ ବେପାର, ସାଂସ୍କୃତିକ ଆୟୋଜନ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ରହିବ। ଲୋକପ୍ରିୟତା ଭାବି ଏଥର ଷ୍ଟଲ୍ ସଂଖ୍ୟା ଦେଢ ହଜାରରୁ ଅଧିକ କରାଯିବାକୁ ଯୋଜନା ରହିଛି।
ପ୍ରତିବର୍ଷ ଭଳି ଏଥର ମଧ୍ୟ ଓଲିଉଡ୍ ଓ ବଲିଉଡ୍ ଶିଳ୍ପୀମାନଙ୍କ ଦ୍ୱାରା ସଂସ୍କୃତିକ ଅନୁଷ୍ଠାନ ରଖାଯିବ। ପିଲାମାନଙ୍କ ପାଇଁ ବିଭିନ୍ନ ଝୁଲା ଦୋଳି ଓ ଖେଳ କାର୍ଯ୍ୟକ୍ରମ ମଧ୍ୟ ହେବ। ସେଥିସହ ଓଡ଼ିଶୀ, ଲୋକନୃତ୍ୟ ଓ ଲୋକସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ମଞ୍ଚ ରଖାଯିବ।
ଭିଡ଼ ନିୟନ୍ତ୍ରଣ ଓ ଦର୍ଶକଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବାଲିଯାତ୍ରା ପଡ଼ିଆରେ ୱାଚ୍ ଟାୱାର୍, ଅଧିକ ସଂଖ୍ୟାରେ ସିସି କ୍ୟାମେରା, ଏବଂ ଚବିଶ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା ରହିବ।
କମିସନରେଟ ପୁଲିସ ଓ ଟ୍ରାଫିକ ପୁଲିସ ସହଯୋଗ କରି ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ କରିବେ। ଅଗ୍ନିଶମ ବାହିନୀ, ଡାକ୍ତରୀ ଦଳ ଓ ସଫାଇ କର୍ମଚାରୀମାନେ ସଜାଗ ରହିବେ। ସଫାଇ କାର୍ଯ୍ୟ ଭୁବନେଶ୍ୱର ମହାନଗର ନିଗମ (BMC) ସହ ମିଳିତ ଭାବେ କରାଯିବ।
ଉଦ୍ଘାଟନ ସମୟରେ କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ, ମୋନାଲିସା ବେହେରା, ମିହିର ରାଉତ, ଅଶୋକ ପାତ୍ର, ତପନ ବଳିଆରସିଂହ, ଅନୁପ ଖୁଣ୍ଟିଆ, ବିନୋଦ ସାହୁ, ଲଛମନ ରାଉତ, ପ୍ରଦୀପ ପରିଡ଼ା, ଅନ୍ନପୂର୍ଣ୍ଣା ମିଶ୍ର, କୃଷ୍ଣପ୍ରିୟା ମିଶ୍ର, ସନ୍ତୋଷ ନାଥ, ନିର୍ମଳ ରାଉତ, ନବକିଶୋର ବାରିକ ଆଦି ଉପସ୍ଥିତ ଥିଲେ।
ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର ଓ କାର୍ଯ୍ୟକାରୀ ସଭାପତି ଯଶୋବନ୍ତ ଓଝା ମଧ୍ୟ ସୂଚନା ଦେଇଛନ୍ତି ଯେ, ଏଥର ବାଲିଯାତ୍ରାକୁ ରାଜଧାନୀବାସୀ ଓ ରାଜ୍ୟର ସମସ୍ତ ଅଞ୍ଚଳରୁ ଭାରି ଉତ୍ସାହ ସହ ଦେଖିବାକୁ ମିଳିବ।