
ଭୁବନେଶ୍ୱର, ଦୁଇଦଶନ୍ଧି ହେଲା ନାଗାବଳୀ ନଦୀରୁ ବେଧଡ଼କ ବାଲି ଚାଲାଣ ହେଉଛି। ମାରାତ୍ମକ ରାସାୟନିକ ପଦାର୍ଥ ମିଶି ପ୍ରଦୂଷିତ ହେଉଛି ନାଗାବଳୀ ନଦୀଜଳ। ଆଖିବୁଜା ବାଲି ଉତ୍ତୋଳନର ପ୍ରଭାବ ବି ପଡୁଛି।
ନଦୀର ଗତିପଥ ବଦଳିବା ସହ ଅନେକ ସ୍ଥାନରେ ଏହା ଏକ ନାଳର ଭ୍ରମ ସୃଷ୍ଟି କରୁଛି। ରାୟଗଡ଼ା ଜିଲ୍ଲାର ପ୍ରମୁଖ ନଦୀ ନାଗାବଳୀ ନିୟମଗିରି ପାହାଡ଼ ତଥା କଳାହାଣ୍ଡି ଜିଲ୍ଲା,ଲାଖବାହାଲ ଅଞ୍ଚଳରୁ ଉତ୍ପତ୍ତି ଲାଭ କରିଛି। ଏହି ନଦୀ ୨୫୬ କିଲୋମିଟର ଅଞ୍ଚଳରେ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ନାଗାବଳୀ ଓଡ଼ିଶାର ପ୍ରାୟ ୧୬୧ କିଲୋମିଟର ଅଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶରେ ୯୫ କିଲୋମିଟର ଅଞ୍ଚଳରେ ପ୍ରବାହିତ। ତେବେ ଏହି ନଦୀର ଉତ୍ପତ୍ତିସ୍ଥଳରୁ ୧୦୦ କିଲୋମିଟର ପରଠାରୁ ନଦୀ ପ୍ରଦୂଷିତ ହେବାରେ ଲାଗିଛି….
ରାୟଗଡ଼ା ଉପଖଣ୍ଡରେ ବଢ଼ୁଥିବା ଶିଳ୍ପ ଓ ଭିତ୍ତିଭୂମିର ବିକାଶ ପାଇଁ ନାଗାବଳୀ ଅବବାହିକାର ବାଲି ହିଁ ଏକମାତ୍ର ଭରସା। ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ବାଲି ଖନନରେ କଟକଣା ଲାଗିଥିବାରୁ ମାଫିଆ ବର୍ଷ ବର୍ଷ ଧରି ଏଠାରୁ ପ୍ରଶାସନର ନାକତଳେ ବାଲି ଚାଲାଣ ଜାରି ରଖିଛନ୍ତି। କିଛିବର୍ଷ ହେଲା ନାଗାବଳୀର ଜଳଉତ୍ସ ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳୁଛି। ବର୍ଷାଦିନେ ହିଁ ଜଳ ଦେଖିବାକୁ ମିଳୁଛି। ଅନ୍ୟଥା ଏହି ନଦୀ ଗୋଟିଏ ନାଳର ଭ୍ରମ ସୃଷ୍ଟି କରୁଛି। ବାଲି ଚାଲାଣ ଯୋଗୁ କିଛି ବର୍ଷ ହେଲା ନାଗାବଳୀର ଗତିପଥ ମଧ୍ୟ ପରିବର୍ତ୍ତନ ହୋଇଛି।




