
ଭୁବନେଶ୍ୱର ,ତାମିଲନାଡୁର ଚେନ୍ନାଇରେ ସ୍କୁଲଗୁଡ଼ିକ ଆଜି ବନ୍ଦ ରହିବ। ଭାରତୀୟ ପାଣିପାଗ ବିଭାଗ ରାଜ୍ୟ ପାଇଁ ଅନେକ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି କରିଛି ଏବଂ ବୁଧବାର ତାମିଲନାଡୁରେ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି। ବର୍ଷା ସତର୍କତା ଯୋଗୁଁ, ଚେନ୍ନାଇ, ତିରୁଭଲ୍ଲୁର ଏବଂ କାଞ୍ଚିପୁରମରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସ୍କୁଲଗୁଡ଼ିକ ବନ୍ଦ ରହିବ । କାରଣ ସକାଳଠାରୁ ପ୍ରବଳ ବର୍ଷା ଜାରି ରହିବ।ପୁଡୁଚେରୀ ଶିକ୍ଷା ମନ୍ତ୍ରୀ ଏ. ନାମାଚିଭାୟମ କହିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ, ସରକାରୀ ସାହାଯ୍ୟପ୍ରାପ୍ତ ସମସ୍ତ ସ୍କୁଲ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ। ସେ କହିଛନ୍ତି ଯେ ପ୍ରବଳ ବର୍ଷାର ଚେତାବନୀ ଯୋଗୁଁ, ସରକାର ଆଜି ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଚେନ୍ନାଇ, ଚେଙ୍ଗଲପେଟ ଏବଂ କାଞ୍ଚିପୁରମର ଅନେକ ସ୍ଥାନ ବର୍ଷା ପାଣି ଘେରରେ ରହିଛି। ରାଜସ୍ୱ ମନ୍ତ୍ରୀ କେକେଏସଏସଆର ରାମଚନ୍ଦ୍ରନ କହିଛନ୍ତି ଯେ ପ୍ରବଳ ବର୍ଷା ପରେ ଏକର ଏକର ଫସଲ ନଷ୍ଟ ହୋଇଛି। ବର୍ଷା ସମ୍ପର୍କିତ ଘଟଣା 1,601 ଘର କ୍ଷତିଗ୍ରସ୍ତ କରିଛି ଏବଂ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ବର୍ଷା ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା ପାଇଁ ଗ୍ରେଟର ଚେନ୍ନାଇ କର୍ପୋରେସନ ପ୍ରାୟ 22 ହଜାର ଲୋକଙ୍କୁ ନିୟୋଜିତ କରିଛି, ଯେଉଁଥିରେ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି।ପାଣିପାଗ ବିଭାଗ ଚେନ୍ନାଇ, କୁଡାଲୋର, କାଞ୍ଚିପୁରମ ଏବଂ ତାଞ୍ଜାଭୁର ସମେତ ଅନେକ ଜିଲ୍ଲାରେ ଝଡ଼ତୋଫାନ ଏବଂ ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ବୁଧବାର କୋଏମ୍ବାଟୁର, ମାଦୁରାଇ, ଥେନି, ତିରୁପ୍ପୁର ଏବଂ ନୀଳଗିରିରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି।



