
ଭୁବନେଶ୍ୱର,ସୂର୍ଯ୍ୟକୁମାର ଯାଦବ ୨୦୧୦ ମସିହାରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଟି-୨୦ କ୍ରିକେଟ୍ ଖେଳୁଛନ୍ତି। ସେ ୭୧ ଟି-୨୦ ମ୍ୟାଚ୍ ରେ ୧,୭୧୭ ରନ୍ କରିଛନ୍ତି, ଯେଉଁଥିରେ ନଅଟି ଅର୍ଦ୍ଧଶତକ ରହିଛି। ସେ ୬୪ଟି ଛକା ମଧ୍ୟ ମାରିଛନ୍ତି। ସୂର୍ଯ୍ୟ ଟି-୨୦ କ୍ରିକେଟରେ ତାଙ୍କର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ସୂର୍ଯ୍ୟକୁମାର ଯାଦବ, ବର୍ତ୍ତମାନ ସୟଦ ମୁସ୍ତାକ ଅଲି ଟ୍ରଫିରେ ଘରୋଇ କ୍ରିକେଟ୍ ଖେଳୁଛନ୍ତି। ମୁମ୍ବାଇ ପାଇଁ ଖେଳି ସେ କେରଳ ବିପକ୍ଷରେ ୩୨ ରନ କରିଥିଲେ । କିନ୍ତୁ ସେ ମୁମ୍ବାଇକୁ ବିଜୟୀ କରାଇପାରି ନଥିଲେ ।ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୫ରେ କେରଳ ପ୍ରଥମେ ବ୍ୟାଟିଂ କରି ୧୭୮ ରନ କରିଥିଲା। ଦଳ ପାଇଁ ସଞ୍ଜୁ ସାମସନ ୪୬ ରନ କରିଥିଲେ। ବିଷ୍ଣୁ ବିନୋଦ ମଧ୍ୟ ୪୩ ରନର ଅବଦାନ ରଖିଥିଲେ। ଶେଷରେ ସୈଫୁଦ୍ଦିନ ୧୫ ବଲରେ ୩୫ ରନ କରିଥିଲେ, ଯେଉଁଥିରେ ପାଞ୍ଚଟି ଚୌକା ଏବଂ ଦୁଇଟି ଛକା ଥିଲା।
ପରେ, ମୁମ୍ବାଇ ପାଇଁ ସରଫରାଜ ଖାନ ୫୨ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଅନ୍ୟ ବ୍ୟାଟସମ୍ୟାନମାନେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଅଜିଙ୍କ୍ୟ ରାହାଣେ ଏବଂ ସୂର୍ଯ୍ୟକୁମାର ଯାଦବ ପ୍ରତ୍ୟେକେ ୩୨ ରନ କରିଥିଲେ। ଅଧିନାୟକ ଶାର୍ଦ୍ଦୁଳ ଠାକୁର ମଧ୍ୟ ନିଜର ଖାତା ଖୋଲିପାରି ନଥିଲେ।କେରଳ ବିପକ୍ଷ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବ ୨୫ ବଲ୍ରେ ୩୨ ରନ୍ କରିଥିଲେ, ଯେଉଁଥିରେ ୪ଟି ଚୌକା ମଧ୍ୟ ସାମିଲ ଥିଲା। ଏହା ସହିତ ସେ ଟି-୨୦ କ୍ରିକେଟ୍ରେ ମୁମ୍ବାଇର ସର୍ବାଧିକ ରନ୍ ସ୍କୋରର୍ ହୋଇ ନମ୍ବର-୧ ସ୍ଥାନ ଅଧିକାର କରିଥିଲେ। ସେ ଆଦିତ୍ୟ ତାରେଙ୍କ ରେକର୍ଡ ଭାଙ୍ଗିଥିଲେ। ଆଦିତ୍ୟ ମୁମ୍ବାଇ ପାଇଁ ଟି-୨୦ କ୍ରିକେଟ୍ରେ ମୋଟ ୧୭୧୩ ରନ୍ କରିଥିଲେ। ଏବେ ସୂର୍ଯ୍ୟ ତାଙ୍କୁ ପଛରେ ପକାଇ ୧,୭୧୭ ରନ୍ କରିଛନ୍ତି।




