ମହାପ୍ରୟାଣ ବଦଳରେ ଶବ ନେବା ପାଇଁ ଆସିବ ୧୦୯ ଗାଡ଼ି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଗଜପତି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଏହି ଅବସରରେ ସେ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ସମ୍ପର୍କରେ ପଚାରି ବୁଝିଛନ୍ତି । ଗଜପତି ଜିଲ୍ଲାରେ ଡାକ୍ତର ଓ ପାରାମେଡିକାଲ ଷ୍ଟାଫର ଘୋର ଅଭାବ ସହ ମହାପ୍ରୟାଣ ଗାଡ଼ି ନମିଳିବାରୁ ବାଇକ ଓ କାନ୍ଧରେ ବୋହି ଶବ ନିଆଯାଉଥିବା ସ୍ବୀକାର କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ସେ କହିଛନ୍ତି, ମହାପ୍ରୟାଣ ବଦଳରେ ଖୁବଶୀଘ୍ର ଶବ ନେବା ପାଇଁ ୧୦୯ ଗାଡ଼ିର ବ୍ୟବସ୍ଥା କରାଯିବ। ୨ ମାସ ମଧ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରେ ।
ସେହିପରି ଜିଲ୍ଲାର ସମସ୍ତ ୧୪୯ ଗୋଟି ପଞ୍ଚାୟତରେ ଆୟୁ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରିବା ସହ ସ୍ବତନ୍ତ୍ର କୋଠା ନିର୍ମାଣ କରାଯିବ । ଜିଲ୍ଲାର ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ୬ଟିକୁ ଉନ୍ନିତ କରାଯିବ । ୨୧ଟି ପ୍ରଥମିକ ଚିକିତ୍ସା କେନ୍ଦ୍ରକୁ ମଧ୍ୟ ଉନ୍ନତି କରାଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ୩୫୦କୁ ବୃଦ୍ଧି କରାଯିବ ବୋଲି ମୁକେଶ କହିଛନ୍ତି । ତେବେ ଗଜପତି ଜିଲ୍ଲା ପ୍ରଶାସନର କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଆହୁରି ଅଧିକ ତତ୍ପର ହେବାକୁ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।




