
ଭୁବନେଶ୍ୱର ,ଢେଙ୍କାନାଳର ସାରଖିଆ ସ୍ଥିତ ‘ହାୟର ସେକେଣ୍ଡାରୀ ସ୍କୁଲ ଅଫ୍ ଆର୍ଟ ଆଣ୍ଡ କଲ୍ଚର’ର ଅଧ୍ୟକ୍ଷ ଏକ ରିଟ୍ ପିଟିସନ ଦାୟର କରିଥିଲେ।ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନକୁ ନେଇ ଦାୟର ହୋଇଥିବା ଏକ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି। ପରୀକ୍ଷା ପ୍ରକ୍ରିୟା ମଧ୍ୟବର୍ତ୍ତୀ ପର୍ଯ୍ୟାୟରେ ଥିବାରୁ ଏହି ସମୟରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଜଷ୍ଟିସ ଏ.ସି ବେହେରା ମାମଲାର ରାୟ ପ୍ରକାଶ କରି ଏହି ଆଦେଶ ଦେଇଛନ୍ତି।ଏହି ଶିକ୍ଷାନୁଷ୍ଠାନ ଏକ ସ୍ୱତନ୍ତ୍ର ପରୀକ୍ଷା କେନ୍ଦ୍ର ଭାବେ ପରିଗଣିତ ହେଉଥିଲା, କିନ୍ତୁ ଚଳିତ ବର୍ଷ ଏହାକୁ ଢେଙ୍କାନାଳ ହାଇୟର ସେକେଣ୍ଡାରୀ ସ୍କୁଲ ସହ ଟ୍ୟାଗ୍ କରିଦିଆଯାଇଥିଲା। ପିଲାମାନେ ନିଜ ସ୍କୁଲରେ ପରୀକ୍ଷା ଦେବା ପାଇଁ ଅନୁମତି ମାଗି ସ୍କୁଲ କର୍ତ୍ତୃପକ୍ଷ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଦାଲତ କହିଛନ୍ତି ଯେ ଚଳିତ ବର୍ଷର +୨ ସଙ୍ଗୀତ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ଶେଷ ହୋଇସାରିଛି ଏବଂ ଫେବୃଆରୀ ୧୯ ତାରିଖରୁ ଥିଓରୀ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।ପରୀକ୍ଷା ପ୍ରକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏବେ ପରୀକ୍ଷା କେନ୍ଦ୍ର ବଦଳାଇଲେ ଏହା ପରିଚାଳନା ଓ ପ୍ରଶାସନିକ ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି କରିବ। ଅଦାଲତ ଚଳିତ ବର୍ଷ ପାଇଁ ଆବେଦନକୁ ଖାରଜ କରିଥିଲେ ହେଁ, ୨୦୨୭ ଏବଂ ତା’ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଏହି ଶିକ୍ଷାନୁଷ୍ଠାନକୁ ପୁନର୍ବାର ଏକ ସ୍ୱତନ୍ତ୍ର ପରୀକ୍ଷା କେନ୍ଦ୍ର ଭାବେ ଘୋଷଣା କରିବା ଦିଗରେ ବିଚାର କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।




