ଜାତୀୟ

ରୋହିତ ରଞ୍ଜନଙ୍କୁ ବଡ଼ ଆଶ୍ୱସ୍ତି; ଗିରଫଦାରୀ ଉପରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ:  ଜି ନ୍ୟୁଜ ଆଙ୍କର ରୋହିତ ରଞ୍ଜନଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଆଶ୍ୱସ୍ତି। ରୋହିତଙ୍କ ଗିରଫଦାରୀ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏପରିକି ରୋହିତଙ୍କ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ ।

ନିଜ ଆବେଦନର ତତ୍କାଳ ଶୁଣାଣି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ରୋହିତ ରଞ୍ଜନ। ବିଭିନ୍ନ ରାଜ୍ୟରେ ତାଙ୍କ ନାମରେ ରୁଜୁ ହୋଇଥିବା ମାମଲାକୁ ଏକତ୍ର କରିବାକୁ ସେ ଅପିଲ କରିଛନ୍ତି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବୟାନକୁ ଏପଟସେପଟ କରି ଟିଭି ଚ୍ୟାନେଲରେ ଦେଖାଇବା ପରେ ତାଙ୍କୁ ବିଭିନ୍ନ ଅଞ୍ଚଳରେ ତୀବ୍ର ବିରୋଧ କରାଯାଇଥିଲା। ଏପରିକି ବିଭିନ୍ନ ରାଜ୍ୟରେ ତାଙ୍କ ନାମରେ ବହୁ ମାମଲା ରୁଜୁ ହୋଇଥିଲା।

ଜୁଲାଇ ୧ରେ ଜୀ ଚ୍ୟାନେଲରେ ଏହି ବିବାଦୀୟ ଘଟଣା ଦେଖିବାକୁ ମିଳିଥିବା ବେଳେ ଗତ ୨ ତାରିଖରେ ରୋହିତ ରଞ୍ଜନ ନିଜ ଶୋ’ରେ କ୍ଷମା ମାଗିଥିଲେ। ଏନେଇ ଟ୍ୱିଟ କରି ସେ କହିଥିଲେ, ଆମ ଶୋ’ରେ ରାହୁଲ ଗାନ୍ଧୀଙ୍କ ବୟାନକୁ ଭୁଲ୍‌ ଭାବେ ଉଦୟପୁର ଘଟଣା ସହ ଯୋଡ଼ି ଦେଖାଯାଇଥିଲା। ଏହା ମଣିଷକୃତ ଭୁଲ୍‌ ଅଟେ । ଏଥିନିମନ୍ତେ ଆମେ ଖୁବ୍‌ ଦୁଃଖିତ ଓ କ୍ଷମା ପ୍ରାର୍ଥନା କରିଛୁ ।

ମାତ୍ର ଏହାକୁ ନେଇ ଛତିଶଗଡ଼ରେ ତୀବ୍ର ବିରୋଧାଭାଷ ଦେଖିବାକୁ ମିଳିଥିଲା। ରାହୁଲଙ୍କ ବୟାନକୁ ଭୁଲ୍‌ ଭାବେ ପ୍ରସାରଣ କରାଯାଇ ବିଭିନ୍ନ ସମୁଦାୟ ମଧ୍ୟରେ ଶତ୍ରୁତା ଭାବନାକୁ ଉସକାଇବା ସହ ଲୋକଙ୍କ ଧାର୍ମିକ ଭାବନାକୁ କୁଠାରଘାତ କରାଯାଉଥିବା ଅଭିଯୋଗ ହୋଇଥିଲା। କଂଗ୍ରେସ ବିଧାୟକ ଦେବେନ୍ଦ୍ର ଯାଦବଙ୍କ ଅଭିଯୋଗ ଆଧାରରେ ଆଙ୍କର ରୋହିତ ରଞ୍ଜନ ଓ ଜୀ ଚ୍ୟାନେଲର ଅନ୍ୟ ଷ୍ଟାଫଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ଏହାପରେ ଛତିଶଗଡ ପୁଲିସ ଆଙ୍କରଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା । ସେତେବେଳେ ରାଜୀବ ୟୁପି ପୁଲିସକୁ ଏନେଇ ଜଣାଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୱିଟ୍‌ କରି ସହାୟତା ଲୋଡିଥିଲେ। ଏହା ପରେ ନଏଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ରାଜ୍ୟର ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଛତିଶଗଡ ପୁଲିସର ଗିରଫଦାରୀରୁ ରାଜୀବଙ୍କୁ ରକ୍ଷା କରି ନଏଡା ପୁଲିସ ତାଙ୍କୁ ଗିରଫ କରି ନେଇଯାଇଥିଲା। ଏହାପରେ ଉକ୍ତ ରାତିରେ ହିଁ ତାଙ୍କୁ ଜାମିନ ମିଳିଯାଇଥିଲା।

Related Articles

Back to top button