Featuredଓଡ଼ିଶାରାଜନୀତି

ଧବଳେଶ୍ୱର ପୋଲର ନିର୍ମାଣ କାର୍ଯ୍ୟ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ,ନୂତନ ହାଇଲେବୁଲ୍‌ ସେତୁର ନିର୍ମାଣ କାର୍ଯ୍ୟ ସାରିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମହାନଦୀ ଉପରେ ନୂତନ ଧବଳେଶ୍ୱର ହାଇଲେବୁଲ୍‌ ପୋଲର ନିର୍ମାଣକାର୍ଯ୍ୟ, ଧବଳେଶ୍ୱର ଝୁଲାପୋଲର ନବୀକରଣ କାର୍ଯ୍ୟ ଏବଂ ଧବଳେଶ୍ୱରକୁ ସଂଯୋଗ କରୁଥିବା ଫେୟାର ୱେଦର ରୋଡ଼ ନିର୍ମାଣର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଲୋକସେବା ଭବନଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ବିଜୁ ସେତୁ ଯୋଜନାରେ ମଞ୍ଚେଶ୍ୱର ଘାଟଠାରୁ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ସେତୁର ନିର୍ମାଣ
କାର୍ଯ୍ୟର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଏବଂ ବରିଷ୍ଠ ଯନ୍ତ୍ରୀମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରି ନିର୍ମାଣ କାର୍ଯ୍ୟକୁ ଧାର୍ଯ୍ୟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ କହିଥିଲେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ପୋଲ ନିର୍ମାଣ ନିମନ୍ତେ ସମସ୍ତ ଷ୍ଟିଲ ଗାର୍ଡର ଫାବି୍ରକେସନ୍‌ କାର୍ଯ୍ୟ ୨୦୨୩ ମସିହା ଜାନୁଆରୀ ମାସ ଶେଷ ସୁଦ୍ଧା ସମାପ୍ତ ହେବ । ଷ୍ଟିଲ ଗାର୍ଡର ସ୍ଥାପନା କାର୍ଯ୍ୟ ଜାନୁଆରୀ ୧୫ ତାରିଖରୁ ଆରମ୍ଭ କରାଯାଇ ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସଂପୂର୍ଣ୍ଣ କରାଯିବ । ସେହିପରି ଡେକ୍‌ ସ୍ଲାବ୍‌ର କାଷ୍ଟିଂ କାର୍ଯ୍ୟ ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ଓ ଅପ୍ରେଲ ୩୦ ସୁଦ୍ଧା ଶେଷ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେତୁକୁ ସଂଯୋଗ କରୁଥିବା ଆପ୍ରୋଚ୍‌ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ବିଦ୍ୟୁତ ସବ୍‌ଷ୍ଟେସନ୍‌ ଓ ବିଦ୍ୟୁତ ଖୁଣ୍ଟ ଆଦିକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଟିପିସିଓଡିଏଲ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯିବ । ନୂତନ ହାଇଲେବୁଲ୍‌ ସେତୁକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମନ୍ତେ ଗଛ କାଟିବା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଆଠଗଡ଼ର ବନଖଣ୍ଡ ଅଧିକାରୀ ଓ ଓଡ଼ିଶା ବନ ଉନ୍ନୟନ ନିଗମ ଜାନୁଆରୀ ୧୫ ତାରିଖ ସୁଦ୍ଧା ବିହିତ ପଦକ୍ଷେପ ନେବେ । କଟକ ଜିଲ୍ଲାପାଳ ଓ ଆଠଗଡ଼ର ଉପଜିଲ୍ଲାପାଳ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ । ସେହିପରି ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲର ମରାମତି ଓ ନବୀକରଣ କାର୍ଯ୍ୟ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଫେବୃଆରୀ, ୨୦୨୩ ସୁଦ୍ଧା ଟେଣ୍ଡର ଡାକିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଗଲା । ଏଥି ସହିତ ଧବେଳେଶ୍ଵର ପୀଠକୁ ଫେୟାର ୱେଦର ରାସ୍ତାର ନିର୍ମାଣ କାର୍ଯ୍ୟ ୨୦୨୩ ମସିହ । ଜାନୁଆରୀ ୧୦ ତାରିଖ ସୁଦ୍ଧା ସାରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com