ଜାତୀୟ

ମହାନଦୀ ପଠାରେ କରାଯାଇପାରିବନି ସ୍ଥାୟୀ ନିର୍ମାଣ, ରୋକ୍ ଲଗାଇଲା ଏନ୍‌ଜିଟି

କଟକ() କଟକ ସହର ଉପକଣ୍ଠରେ ଥିବା ମହାନଦୀ ପଠାରେ କୌଣସି ପ୍ରକାର ସ୍ଥାୟୀ ନିର୍ମାଣ କରାଯାଇ ପାରିବନାହିଁ । ମହାନଦୀକୁ ନେଇ ଏଭଳି ଏକ ଅନ୍ତରୀଣ ଆଦେଶ ଦେଇଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ । ଅନ୍ୟାଦେଶ ନ ଆସିବା ଯାଏଁ ମହାନଦୀ ପଠାରେ କୌଣସି ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଇଛନ୍ତି ଏନଜିଟି । ପରିବେଶ ସୁରକ୍ଷା ଓ ମହାନଦୀ ପଠାର ସୁରକ୍ଷା ଉପରେ ଏନଜିଟି ଗୁରୁତ୍ବାରୋପ କରିବା ସହିତ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏନଜିଟିଙ୍କ ଦ୍ଵାରା ଗଠିତ କମିଟି ସହିତ ଖ୍ୟାତନାମା ଇକୋଲୋଜିଷ୍ଟ ପ୍ରଫେସର ସି.ଆର. ବାବୁ ଓ ପ୍ରଫେସର ପି.ସି. ମିଶ୍ରଙ୍କୁ ନେଇ ୭ ଜଣିଆ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି ।

ମହାନଦୀ ନଦୀଶଯ୍ୟା ସହିତ ପରିବେଶର ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ତିନି ମାସ ଭିତରେ କମିଟି ରିପୋର୍ଟ ଦାଖଲ କରିବ । କମିଟି ନିକଟରେ ଆବେଦନକାରୀ ଓ ରାଜ୍ୟ ସରକାର ନିଜ ପକ୍ଷ ରଖିବାକୁ କୁହାଯାଇଛି । ୭ଜଣିଆ ବିଶେଷଜ୍ଞ କମିଟି ତାଙ୍କର ରିପୋର୍ଟ ଆସନ୍ତା ଅପ୍ରେଲ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ପ୍ରଦୀପ ପଟ୍ଟନାୟକଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲା ଉପରେ ଶୁଣାଣି କରି ଏପରି ନିର୍ଦ୍ଦେଶ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ । ମେ’ ମାସ ୨୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।  ମହାନଦୀ ପଠା ପୋତାଯିବା ଯୋଗୁଁ କଟକ ସହର ପ୍ରତି ବିପଦ ଥିବା ଦର୍ଶାଇ ଆବେଦନକାରୀ ଏନଜିଟିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com