ଓଡ଼ିଶା

କୃମି ଔଷଧ ଖାଇ ୧୦ ବିଦ୍ୟାର୍ଥୀ ଅସୁସ୍ଥ : ଆଡପଡ଼ା ଡାକ୍ତରଖାନାରେ ଭର୍ତ୍ତି

ବ୍ରହ୍ମପୁର  : ତା ୨୮/୦୮ ସାନଖେମୁଣ୍ଡି ବ୍ଲକ ଜିଉରା ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା କୃମି ଔଷଧ ଖାଇ ୧୦ ଛାତ୍ରଛାତ୍ରୀ ଗୁରୁତର ଅସୁସ୍ଥ ହେବା ସହ ଆଡ଼ପଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣା ପଡିଛି । ଆଶାକର୍ମୀ ଓ ମହିଳା ସ୍ୱାସ୍ଥ୍ୟକର୍ମୀ ( ଏଏନଏମ) ଙ୍କ ବେପରୁଆ ମନୋଭାବ ସହ ଔଷଧ ବ୍ୟବହାର ପୂର୍ବ ବିଧିକୁ ଅଣଦେଖା ଏବଂ ଉପଯୁକ୍ତ ବ୍ୟବହାର ସଚେତନତା ଅଭାବ କାରଣରୁ ଏହା ଘଟିଥିବା ସାଧାରଣରେ ଚର୍ଚ୍ଚା  । ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ଦିନ ଜିଉରା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏଏନଏମ ଓ ଆଶା କର୍ମୀଙ୍କ ଦ୍ଵାରା କୃମିନାଶକ ଔଷଧ ଖାଇବାକୁ ଦିଆଯାଇଥିଲା । ଔଷଧ ଖାଇବା ପରେ କିଛି ଛାତ୍ରଛାତ୍ରୀଙ୍କ ଠାରେ ସାମାନ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ସେମାନେ ଅସୁସ୍ଥ ଅନୁଭବ କରିଥିଲେ l  ଶନିବାର ସକାଳୁଆ ସ୍କୁଲ ଯୋଗୁଁ ପ୍ରାୟ ପିଲା ଖାଲି ପେଟରେ ସ୍କୁଲକୁ ଆସିଥିଲେ । ସ୍କୁଲ ଆସିବା ପରେ ପୁଣି କିଛି ଛାତ୍ରଛାତ୍ରୀଙ୍କ ମୁଣ୍ଡ ଘୁରାଇ ଥିଲା ଏବଂ ଅସୁସ୍ଥ ହୋଇପଡ଼ିଥିଲେ । ଏହି ଖବର ଅଭିଭାବକଙ୍କ ଠାରେ ପହଞ୍ଚିଲା ପରେ ସେମାନେ ସମୂହ ଭାବେ ସ୍କୁଲରେ ପହଞ୍ଚି ଥିଲେ l ୧୦ ରୁ ଅଧିକ ଛାତ୍ରଛାତ୍ରୀଙ୍କ ଅବସ୍ଥା ସାମାନ୍ୟରୁ ଗୁରୁତର ହେଉଥିବାରୁ ଅଭିଭାବକଙ୍କ ଦ୍ଵାରା ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରାଯାଇ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l  ସ୍କୁଲ ପରିସରରେ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ବଚସା ସହ ଚାପା ଉତ୍ତେଜନା ଦେଖାଦେଇଥିଲା l  ପାଟପୁର ଥାନା ଅଧିକାରୀ  ସବ୍ୟସାଚୀ ମଲ୍ଲ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତି ଆୟତକୁ ଆଣିଥିଲେ । ଗୁରୁତର ଥିବା ୫ ରୁ ଅଧିକ ବିଦ୍ୟାର୍ଥୀ ଅଧିକ୍ଷକ ଡ଼ା ବାହନ ଦାସ ଏବଂ ଡାକ୍ତର ମଣ୍ଡଳୀଙ୍କ ନିଗରାନିରେ ଚିକିତ୍ସା ପରେ ସୁସ୍ଥ ଥିବା ଜଣାଯାଇଥିଲା । ଖବର ପାଇ ପୂର୍ବତନ ବ୍ଲକ ଅଧ୍ୟକ୍ଷା ତଥା ସରପଞ୍ଚ ପ୍ରତିନିଧି ସ୍କୁଲରେ ପହଞ୍ଚି ଘଟଣା ସମନ୍ଧରେ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀଙ୍କ ଠାରୁ ଘଟଣାର ଅବଗତ ହୋଇଥିଲେ । ବ୍ଲକ ଶିକ୍ଷାଧିକାରୀ କୁରେଶ ସେଠି ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ l ଏଭଳି ଘଟଣାର କାରଣ ଖୋଜି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com