ଓଡ଼ିଶା

ହସ,ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ଗୁରୁ ପୁର୍ଣ୍ଣିମା ଉତ୍ସବ ପାଳିତ

ବ୍ରହ୍ମପୁର: ବ୍ରହ୍ମପୁର ଲାଞ୍ଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ସ୍ଥାନୀୟ ଦିବ୍ୟ ଜୀବନ ସଂଘ ପରିସରରେ ପବିତ୍ର ଗୁରୁ ପୁର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି ।

ପ୍ରାରମ୍ଭରେ ମଂଚର ସଂପାଦକ ଶ୍ରୀ ବିଶ୍ବନାଥ ପାଢ଼ୀ ଆମ ସନାତନ ଧର୍ମରେ ଗୁରୁ ପୂଜାର ମହତ୍ବ ଉପରେ ଆଲୋକପାତ କରିବା ପରେ ମଞ୍ଚ ସଭାପତି ପ୍ରଫେସର ଭାସ୍କର ପାଢ଼ୀ କେନ୍ଦ୍ରର ପ୍ରଥମ ବ୍ୟାୟାମ ଗୁରୁ ସ୍ବର୍ଗତ ଲକ୍ଷ୍ମୀକାନ୍ତ ସତପଥୀଙ୍କ ଫୋଟ ପୂଜା କରିବା ସହ ତାଙ୍କର ସ୍ମ୍ରୁତି ଚାରଣ କରିଥିଲେ । ଉତ୍ସବରେ ଉପସ୍ଥିତ ସ୍ବର୍ଗତ ସତପଥୀଙ୍କ ସୁପୁତ୍ର ଶ୍ରୀ ଦିଲ୍ଲୀପ କୁମାର ସତପଥୀ ମଧ୍ୟ ତାଙ୍କର ବାପାଙ୍କର ସେହି କେନ୍ଦ୍ର ପ୍ରତି ରହିଥିବା ଶ୍ରଦ୍ଧା ଓ ସହାନୁଭୂତି ଉପରେ ଆଲୋକ ପାତ କରିଥିଲେ ।

ଉପସ୍ଥିତ ଥିବା ସଦସ୍ୟମାନେ ଆଦ୍ୟ ଗୁରୁ ଶ୍ରୀ ଶତପଥୀଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ ପୂର୍ବକ ଯଥାଶକ୍ତି ଅର୍ଥୋପହାର ଦେଇଥିଲେ । ତତ୍ପରେ ଅଧୁନା କେନ୍ଦ୍ରର ସଭାପତି ତଥା ଯୋଗ ଗୁରୁ ପ୍ରଫେସର ଭାସ୍କର ପାଢ଼ୀ ଏବଂ କୋଷାଧ୍ୟକ୍ଷ ତଥା ବ୍ୟାୟାମ ଗୁରୁ ଶ୍ରୀ ଶିବରାମ ପାଣିଗ୍ରାହିଙ୍କୁ ପୁଷ୍ପଗୁଚ୍ଛ ସହ ଅଙ୍ଗବସ୍ତ୍ର ଓ ଯଥାଶକ୍ତି ଗୁରୁ ଦକ୍ଷିଣା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ ପଶ୍ଚାତ୍ ଉପସ୍ଥିତ ଥିବା ଅଷ୍ଟଦଶାଧିକ ସଦସ୍ୟ ଦିବ୍ୟ ଜୀବନ ସଂଘରେ ସଦ୍ଗୁରୁ ସ୍ବାମୀ ଶ୍ରୀ ଶ୍ରୀ ଶ୍ରୀ ଶିବାନନ୍ଦ ଓ ଚିଦାନନ୍ଦ ମହାରାଜାଙ୍କ ଊଦ୍ଦେଶ୍ଯରେ ସମୁହ ଦୀପ ସମର୍ପଣ କରିଥଲେ । ଶେଷରେ ଧନ୍ୟବାଦ ପ୍ରଦାନ ସହ ମିଷ୍ଟାନ୍ନ ସେବନରେ ଉତ୍ସବ ସମାପନ କରା ଯାଇଥିଲା । ଉତ୍ସବର ସୁପରିଚାଳନା କରିଥିଲେ ସର୍ବଶ୍ରୀ ଶାନ୍ତନୁ କୁମାର ମିଶ୍ର, ରମେଶ ଚନ୍ଦ୍ର ମହାନ୍ତି ଓ ସୁରେଶ କୁମାର ଜେନା ।

Related Articles

Back to top button
WP Twitter Auto Publish Powered By : XYZScripts.com