ଜାତୀୟ

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆର ଧନକୁବେର ହେଲେ ଗୌତମ ଆଦାନୀ, ୨୪ ଘଣ୍ଟାରେ ଅମ୍ବାନୀଙ୍କ କ୍ଷତି ୧୬,୪୩୮କୋଟି ଟଙ୍କା

ନୂଆଦିଲ୍ଲୀ () ସେୟାର ବଜାରରେ ବ୍ୟାପକ ହ୍ରାସ ଫଳରେ ବିଶ୍ବରେ କୋଟିପତିମାନଙ୍କ ଉପରେ ବିଶେଷ ପ୍ରଭାବ ପଡିଛି । ବିଶେଷ କରି ଭାରତରେ କୋଟିପତିମାନଙ୍କ ରାଙ୍କରେ ଅଦଳବଦଳ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଆଦାନୀ ଗ୍ରୁପ୍ର ମାଲିକ ଗୌତମ ଆଦାନୀ ଏସିଆର ସବୁଠାରୁ ଧନୀ ହୋଇଯାଇଛନ୍ତି । ପୂର୍ବରୁ ସେ ଭାରତର ସବୁଠାରୁ ବଡ ଧନୀ ଥିବା ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ତାଲିକାର ଶୀର୍ଷକୁ ଉଠିଥିଲେ ।

ଏବେ ପୁଣି ଆହୁରି ଆଗକୁ ଯାଇ ଏସିଆର ନମ୍ବର ଓ୍ବାନ୍ ଧନୀ ହୋଇଛନ୍ତି । କେବଳ ସେତିକି ନୁହେଁ, ଗୌତମ ଆଦାନୀ ଏବେ ବିଶ୍ବର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି ।

ଫୋବର୍ସ ପକ୍ଷରୁ ଜାରି କରାଯାଇଥିବା ରିଅଲ୍ ଟାଇମ୍ ଲିଷ୍ଟ ଅନୁଯାୟୀ, ଗୌତମ ଆଦାନୀ ଏବଂ ଫ୍ୟାମିଲି ପାଖରେ ଏବେ ୯୦ ବିଲିୟନ ଡଲାର ସମ୍ପତ୍ତି ରହିଛି । ଯାହା ଫଳରେ ସେ ବିଶ୍ବର ଧନୀ ତାଲିକାରେ ୧୦ମ ସ୍ଥାନରେ ରହିଛନ୍ତି । ଅବଶ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କ ସମ୍ପତ୍ତି ପରିମାଣ ୬୭୨ ମିଲିୟନ ଡଲାର କମିଛି ତଥାପି ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ସେୟାର ମାର୍କେଟ୍ରେ ଆଦାନୀଙ୍କ ଅପେକ୍ଷା ଅନ୍ୟ ଅରବପତିଙ୍କ ଅଧିକ କ୍ଷତି ଘଟିଛି । ଲମ୍ବା ସମୟ ଧରି ପୁରା ଏସିଆ ଏବଂ ଭାରତର ଧନୀ ତାଲିକାର ଶୀର୍ଷରେ ଥିବା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୨୪ ଘଣ୍ଟା ମଧ୍ୟରେ ୨.୨ ବିଲିୟନ ଡଲାର କମିଛି । ଫଳରେ ତାଙ୍କର ମୋଟ ସମ୍ପତ୍ତି ୮୯ ବିଲିୟନ ଡଲାରକୁ ଖସି ଆସିଛି । ମୁକେଶ ଅମ୍ବାନୀ ଏବେ ବିଶ୍ବର ଧନୀ ତାଲିକାରେ ୧୧ତମ ସ୍ଥାନରେ ରହିଛନ୍ତି ।

ଫେସବୁକ୍‌ ସିଇଓ ମାର୍କ ଜୁକରବର୍ଗ ସବୁଠାରୁ ଅଧିକ କ୍ଷତି ସହିଛନ୍ତି । ଜୁକରବର୍ଗଙ୍କ କମ୍ପାନୀର ସେୟାରରେ ଗୁରୁବାର ପ୍ରାୟ ୨୬ ପ୍ରତିଶତ ହ୍ରାସ ପାଇଛି । ଯାହା ଫଳରେ ସେ ପ୍ରାୟ ୨୯.୭ ବିଲିୟନ ଡଲାରର କ୍ଷତି ସହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ପରିମାଣ ହ୍ରାସ ପାଇ ୮୪.୮ ବିଲିୟନ ଡଲାରରେ ପହଞ୍ଚିଯାଇଛି । ଅମ୍ବାନୀ ଏବଂ ଆଦାନୀଙ୍କ ପରେ ଜୁକରବର୍ଗ ଏବେ ବିଶ୍ବ ଧନୀ ତାଲିକାର ୧୨ତମ ସ୍ଥାନରେ ରହିଛନ୍ତି ।

ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କ ସମ୍ପତ୍ତି ମଧ୍ୟ ବ୍ୟାପକ ମାତ୍ରାରେ ହ୍ରାସ ପାଇଛି । ୨୪ ଘଣ୍ଟା ମଧ୍ୟରେ ଏଲନ୍‌ ମସ୍କଙ୍କ ପ୍ରାୟ ୩.୩ ବିଲିୟନ ଡଲାର ହ୍ରାସ ପାଇଛି । ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତିର ପରିମାଣ ୨୩୨.୩ ବିଲିୟନ ଡଲାର ଥିବା ବେଳେ ସେ ବିଶ୍ବର ସବୁଠାରୁ ବଡ ଧନକୁବେର । ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌ଙ୍କୁ ମଧ୍ୟ ବଡ କ୍ଷତି ସହିବାକୁ ପଡିଛି । ବିଶ୍ବ ଧନୀ ତାଲିକାରେ ସେ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି । ବେଜୋସ୍‌ଙ୍କ ୧୧.୮ ବିଲିୟନ ଡଲାର କ୍ଷତି ହୋଇଥିବା ବେଳେ ତାଙ୍କର ମୋଟ ସମ୍ପତ୍ତି ଏବେ ୧୬୪.୮ ବିଲିୟନ ଡଲାର ରହିଛି ।

କେବଳ କ୍ଷତି ନୁହେଁ ବରଂ କିଛି କୋଟିପତିଙ୍କର ମଧ୍ୟ ଖୁବ ଫାଇଦା ହୋଇଛି । ବର୍ଣ୍ଣାଡ୍‌ ଅର୍ନଲ୍ଟ ଆଣ୍ଡ୍ ଫ୍ୟାମିଲିଙ୍କୁ ଫାଇଦା ହୋଇଛି । ୧୯୩.୬ ବିଲିୟନ ଡଲାର ସହ ବର୍ଣ୍ଣାଡ୍‌ ଅର୍ନଲ୍ଟ ଏବେ ବିଶ୍ବର ଦ୍ବିତୀୟ ଧନୀ । ତାଙ୍କର ସମ୍ପତ୍ତି ଦିନକରେ ୪.୮ ବିଲିୟନ ଡଲାର ବୃଦ୍ଧିପାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com