ବାଣିଜ୍ୟ

ଆଇ.ଟି କ୍ଷେତ୍ରରେ ସଶକ୍ତ ହେବ ଓଡ଼ିଶା

ଭୁବନେଶ୍ୱର, ୦୯/୧୨/୨୦୨୨ –   ସଦ୍ୟ ସମାପିତ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭ-୨୦୨୨ରେ  ଆଇଟି କ୍ଷେତ୍ରରେ ୧୧ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି । ଏହା କାର୍ଯ୍ୟକାରୀ ହେଲେ ଅତି କମରେ ୪୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆକଳନ କରାଯାଉଛି ।କନକ୍ଲେଭରେ ୫୦ରୁ ଅଧିକ ଖ୍ୟାତନାମା ଇଲେକ୍ଟ୍ରୋନିକ୍‍ ଓ ଆଇଟି ସଂସ୍ଥା ଓଡ଼ିଶାରେ କାର୍ଯ୍ୟ ଆରମ୍ଭ ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ କେବଳ ଗୋଟିଏ ଗୋଟିଏ କମ୍ପାନୀ ୪ ହଜାରରୁ ଅଧିକ କର୍ମନିଯୁକ୍ତି ସୃଷ୍ଟି କରିବେ ବୋଲି ସହମତି ପ୍ରକାଶ କରିଛନ୍ତି ।

ଏହି କନକ୍ଲେଭରେ ଓଡ଼ିଶା ସରକାରଙ୍କ ସହିତ ଆଦାନୀ ଗ୍ରୁପ୍‍, ଏଡୋବ୍‍ ଇଣ୍ଡିଆ, ଡେଲୋଏଟ୍‍, ହାପିଏଷ୍ଟ ମାଇଣ୍ଡ, ଇଣ୍ଟେଲ, ଓରାକଲ୍‍, ଆଇବିଏମ୍‍, ଇୱାଇ, ଆରୋନ୍‍ କ୍ୟାପିଟାଲ, ଗ୍ଲୋବାଲ୍‍ ଫାଉଣ୍ଡିରିସ୍‍, ଜୁପିଟର୍‍ ସୋଲର ଭଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖ୍ୟାତନାମା କମ୍ପାନୀ ରାଜ୍ୟ ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ମିଳିତ ସହଭାଗିତାରେ ରେଲ୍‍ଟେଲ୍‍ ପୁରୀ ସମୁଦ୍ର ପଥ ଦେଇ ଓଡ଼ିଶାକୁ ନ୍ୟାଚୁରାଲ ସବ୍‍ମେରାଇନ୍‍ କେବୁଲ୍‍ ବିଛାଇବା ପାଇଁ ଚୁକ୍ତିବଦ୍ଧ ହୋଇଛି । ଏହା କାର୍ଯ୍ୟକ୍ଷମ ହେଲେ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ଡାଟା ସେଣ୍ଟରରେ ପରିଣତ କରିବା ପାଇଁ ପଥ ସୁଗମ କରିବ । ମନୋରଞ୍ଜନ, ବ୍ୟାଙ୍କିଙ୍ଗ୍‍ ଏବଂ ବିତ୍ତୀୟ କ୍ଷେତ୍ର ବିଶେଷ ଭାବେ ଲାଭ ପାଇବ । ଅପରପକ୍ଷେ ଇଣ୍ଟେଲ ଓଡ଼ିଶାରେ ଇଣ୍ଡଷ୍ଟ୍ରି ୪.୦, ଇଣ୍ଟରନେଟ୍‍ ଅଫ୍‍ ଥିଙ୍ଗସ୍‍, ୫-ଜି ଯୋଗାଯୋଗ, ୱୟାରଲେସ୍‍ ସେନ୍ସର ନେଟୱାର୍କ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ,ଏଆର/ଭିଆର/ଏକ୍ସଆର ଭଳି ଅତ୍ୟାଧୁନିକ ଆଇଟି ବ୍ୟବସ୍ଥା ଆରମ୍ଭ ପାଇଁ ସହାୟତା ଦେବ ।

ଏଡୋବ୍‍ କମ୍ପାନୀ ଡିଜିଟାଲ ଏବଂ କ୍ରିଏଟିଭିଟି ପାଇଁ ଓଡ଼ିଶାର ବିଦ୍ୟାଳୟ ତଥା ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରିବ । ଓରାକଲ୍‍ ସଂସ୍ଥା ରାଜ୍ୟ ସରକାରଙ୍କ ସହ ସ୍ୱାକ୍ଷର କରିଥିବା ବୁଝାମଣା ଅନୁସାରେ ଚାରି ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ଦ୍ୱାରା ମନୋନୀତ ଅନୁଷ୍ଠାନ ମାନଙ୍କ କ୍ଷେତ୍ରରେ ଓରାକଲ୍‍ ଏକାଡେମୀ କାର୍ଯ୍ୟକ୍ରମ ପରିଚାଳନା କରିବ । ଏହାଦ୍ୱାରା ପ୍ରଶିକ୍ଷକ, ପ୍ରଶିକ୍ଷାର୍ଥୀ ତଥା ଟେକ୍ନୋଲୋଜି ଉତ୍ପାଦକମାନଙ୍କ ଦକ୍ଷତା ବୃଦ୍ଧି ପାଇବ। ଗ୍ଲୋବାଲ ଫାଉଣ୍ଡରିସ୍‍ ଓଡ଼ିଶାରେ ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ କରିବା ସହ ଏହାର ଡିଜାଇନ୍‍ ଏବଂ ଟ୍ରେନିଂ ପାଇଁ କାମ କରିବ । କମ୍ପାନୀ ଇଞ୍ଜିନିୟରିଂ ପ୍ରତିଷ୍ଠାନକୁ ସହଯୋଗ ପ୍ରଦାନ ବ୍ୟତୀତ ଇନୋଭେସନ୍‍ ଲ୍ୟାବ୍‍ ପ୍ରତିଷ୍ଠା ଏବଂ ଷ୍ଟାର୍ଟଅପ୍‍କୁ ବୈଷୟିକ ସହାୟତା ଦେବ। ଅପରପକ୍ଷେ ରାଜ୍ୟରେ ଟ୍ୟାବ୍‍, କମ୍ପ୍ୟୁଟର୍‍ ନିର୍ମାଣ ଦିଗରେ ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ ଏପିକ୍‍ ଫାଉଣ୍ଡେସନ୍‍। ଡେଲୋଇଟ୍‍ କମ୍ପାନୀ ଇତିମଧ୍ୟରେ ଭୁବନେଶ୍ୱରରେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ୧୫୦୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

Related Articles

Back to top button