ଜାତୀୟ

ସୋମବାରଠୁ ଆରବିଆଇର ମୁଦ୍ରାନୀତି ସମୀକ୍ଷା ବୈଠକ : ରିଭର୍ସ ରେପୋ ରେଟରେ ହୋଇପାରେ ପରିବର୍ତ୍ତନ

ମୁମ୍ବାଇ () ବର୍ତ୍ତମାନ ଘରୋଇ ବଜାରରେ ମୁଦ୍ରାସ୍ଫୀତି ଜନୀତ ଚାପ ରହିଛି । ଏହାକୁ ଧ୍ୟାନରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ଏହାର ପରବର୍ତ୍ତୀ ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ହାରକୁ ଅପରିବର୍ତ୍ତିତ ରଖିପାରେ । ଆର୍‌ବିଆଇ ମୁଦ୍ରା ନୀତି କମିଟି (ଏମ୍‌ପିସି) ରିଭର୍ସ ରେପୋରେ କିଛିଟା ପରିବର୍ତ୍ତନ କରିପାରେ ବୋଲି ବିଶେଷଜ୍ଞ କହିଛନ୍ତି । ନଗଦ ପରିଚାଳନା ଧାରା ଅନ୍ତର୍ଗତ ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରାଯାଇପାରେ ।

ଫେବୃୟାରି ୭ରୁ ରିଜର୍ଭ ବ୍ୟାଙ୍କର ଏପ୍‌ପିସି ବୈଠକ ଆରମ୍ଭ ହେଉଥିବା ବେଳେ ଫେବୃୟାରି ୯ରେ ରେପୋ ରେଟ୍‌ ସମ୍ପର୍କରେ ଘୋଷଣା କରାଯିବ । ଏହି ପରିପ୍ରେକ୍ଷୀରେ ବ୍ୟାଙ୍କ ଅଫ୍‌ ବରୋଦାର ମୁଖ୍ୟ ଅର୍ଥନୀତିଜ୍ଞ ମଦନ ସବନାଭିସ କହିଛନ୍ତି ଯେ, ବଜେଟକୁ କେନ୍ଦ୍ର ସରକାର ଅଭିବୃଦ୍ଧି ପରିପନ୍ଥୀ କରିଛନ୍ତି । ଅଶୋଧିତ ତୈଳ ଦର ଉଚ୍ଚରେ ରହିବା ଯୋଗୁ ଏହା ମୁଦ୍ରାସ୍ଫୀତି ଚାପ ସୃଷ୍ଟି କରୁଛି । ଏଭଳି ବିଭିନ୍ନ ଦିଗକୁ ବିଚାର କରି କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ରେପୋକୁ ୨୫ ବେସିସ ପଏଣ୍ଟ ହ୍ରାସ କରିପାରେ । ଚଳିତ ଥର ମଧ୍ୟ ରେପୋ କ୍ଷେତ୍ରରେ କୌଣସି ପରିବର୍ତ୍ତନ ହୋଇ ନ ପାରେ । ଆସନ୍ତା ବର୍ଷ ଏଥିରେ ୫୦ ବେସିସ ପଏଣ୍ଟ ବୃଦ୍ଧି ହୋଇପାରେ ବୋଲି ସେ ସୁଚନା ଦେଇଛନ୍ତି ।

କୋଟାକ ମହିନ୍ଦ୍ରା ବ୍ୟାଙ୍କର କଞ୍ଜ୍ୟୁମର ବ୍ୟାଙ୍କିଙ୍ଗ ଗ୍ରୁପ ସଭାପତି ଶାନ୍ତି ଏକାମ୍ବରମ କହିଛନ୍ତି ଯେ, ବିଶ୍ୱ ବଜାରରେ ମୁଦ୍ରାସ୍ଫୀତି ଚାପ ରହିଛି । ବିଶ୍ୱ ବଜାରର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦୃଢ଼ ମୁଦ୍ରାନୀତି ସପକ୍ଷରେ ରହିଛନ୍ତି । ଅଶୋଧିତ ତେଲ ଦର ବୃଦ୍ଧି, ଘରୋଇ ବଜାରରେ ମୁଦ୍ରାସ୍ଫୀତି ଚାପ ଲାଗି ଆର୍‌ବିଆଇ ରେପୋ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରି ନ ପାରେ । ରିଭର୍ସ ରେପୋରେ ୨୫ ବେସିସ ପଏଣ୍ଟ ହ୍ରାସ ହୋଇପାରେ ।

ଡିସେମ୍ବର ୨୧ରେ ଶେଷ ଥର ଲାଗି ଏମ୍‌ପିସି ବୈଠକ ହୋଇଥିଲା । ରେପୋ ହାରକୁ ୪% ହାରରେ ଅପରିବର୍ତ୍ତିତ ରଖାଯାଇଥିଲା । ଲଗାତାର ୯ଥର ଲାଗି ରେପୋ ହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଇକ୍ରାର ମୁଖ୍ୟ ଅର୍ଥନୀତିଜ୍ଞ ଆଦିତି ନାୟାର କହିଛନ୍ତି, ଏମ୍‌ପିସି ସୁଧହାର କ୍ଷେତ୍ରରେ କୌଣସି ପରିବର୍ତ୍ତନ କରି ନ ପାରେ ବୋଲି ଆଶା କରାଯାଉଛି । ରିଭର୍ସ ରେପୋରେ ୨୫ ବେସିସ ପଏଣ୍ଟ ବୃଦ୍ଧି କରାଯାଇପାରେ । ଉଲ୍ଲେଖଯୋଗ୍ୟ, ମୁଦ୍ରାସ୍ଫୀତିକୁ ୨ରୁ ୬% ହାରରେ ରଖିବା ଲାଗି କେନ୍ଦ୍ର ସରକାର ଆର୍‌ବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com