ଜାତୀୟ

ଇଡି ଜାଲରେ ରାଜ କୁନ୍ଦ୍ରାଙ୍କ ପୂର୍ବତନ ପାର୍ଟନର୍‌

ମୁମ୍ବାଇ() ଇଡି ଜାଲରେ ଫସିଲେ ରାଜ କୁନ୍ଦ୍ରାଙ୍କ ପୂର୍ବତନ ବିଜନେସ୍‌ ପାର୍ଟନର୍‌ ତଥା ଅଭିନେତା ସଚିନ ଯୋଶୀ। ବିବାଦ ସହ ସଚିନଙ୍କ ରହିଛି ପୁରୁଣା ସମ୍ପର୍କ। ଏବେ ତାଙ୍କ ଅଡୁଆ ଆହୁରି ଅଧିକ ବଢ଼ିଛି। ଅଭିନେତାଙ୍କ ୪୧୦ କୋଟିର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ମନି ଲଣ୍ଡରିଂ ମାମଲାରେ ସଚିନ ଯୋଶୀଙ୍କ ଏହି ସମ୍ପତ୍ତିକୁ ଜବତ କରାଯାଇଛି।

ଜବତ ସମ୍ପତ୍ତି ମଧ୍ୟରେ ୩୩୦ କୋଟିର ଫ୍ଲାଟ୍‌ ରହିଛି। ଏହାବ୍ୟତୀତ ପୁଣେରେ ୮୦ କୋଟି ଟଙ୍କାର ଜମି ମଧ୍ୟ ସାମିଲ ଅଛି। ଏ ସବୁ ସମ୍ପତ୍ତି ଓଙ୍କାର ଗ୍ରୁପ୍‌ ଓ ସଚୀନ୍‌ ଯୋଶୀଙ୍କ ବୋଲି ଇଡି ସୂଚନା ଦେଇଛି। ଔରଙ୍ଗାବାଦ ସିଟି ପୁଲିସ୍ ଷ୍ଟେସନରେ ୨୦୨୦ରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଉପରେ ଆଧାର କରି ଇଡି ମନି ଲଣ୍ଡରିଂ କେସ୍‌ର ଯାଞ୍ଚ କରିଥିଲା। ଏହାର ତଦନ୍ତ ଏକ ବର୍ଷ ପୂର୍ବେ ଚାଲିଥିଲା। ​ ଗତ ବର୍ଷ ଜାନୁଆରୀରେ ଏଜେନ୍ସି ସର୍ଚ୍ଚ କରିଥିଲା ​​ଏବଂ ମେସର୍ସ ଓଆର୍‌ଡିପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ବାବୁଲାଲ ବର୍ମା, ମେସର୍ସ ଓଆର୍‌ଡିପିଏଲ୍‌ର ଚେୟାରମ୍ୟାନ୍ କମଲ କିଶୋର ଏବଂ ପରେ ସଚିନ ଯୋଶୀଙ୍କୁ ଗିରଫ କରିଥିଲା। ମାର୍ଚ୍ଚ ୨୦୨୧ରେ ଇଡି ପୂର୍ବରୁ ମୁମ୍ବାଇ କୋର୍ଟରେ ଏକ ଚାର୍ଜସିଟ ମଧ୍ୟ ଦାଖଲ କରିଥିଲା।

ଇଡି ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ୪୧୦ କୋଟି ଟଙ୍କାରୁ ଓଙ୍କାର ଗ୍ରୁପ୍‌ ପକ୍ଷରୁ ୩୩୦ କୋଟି ଟଙ୍କାର ଠକେଇ ହୋଇଛି ଏବଂ ସଚିନ ଯୋଶୀ ଓ ୱିଙ୍କିଙ୍ଗ ଗ୍ରୁପ୍‌ ଦ୍ୱାରା ୮୦ କୋଟିର ଠକେଇ ହୋଇଛି।

ସଚିନ ଯୋଶୀ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପୂର୍ବତନ ବିଜନେସ୍‌ ପାର୍ଟନର। ସଚିନ ସତ୍ୟଯୁଗ ଗୋଲ୍ଡ ମାମଲାରେ ରାଜ କୁନ୍ଦ୍ରାଙ୍କ ନାଁରେ ଅଭିଯୋଗ ଆଣିଥିଲେ। ପରେ ସେ ଏହି କେସ୍‌କୁ ଜିତିଥିଲେ ମଧ୍ୟ। ସଚିନ ଅନେକ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ସେ ମୁମ୍ବାଇ ମିରର୍‌, ଜ୍ୟାକପଟ୍ ଏବଂ ବିରାପାନ୍ନ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ, ସେ ୨୦୧୯ ମସିହାରେ ‘ଅମାବସ’ ଫିଲ୍ମର ଏକ ଅଂଶ ଥିଲେ ଯେଉଁଥିରେ ତାଙ୍କୁ ନର୍ଗିସ୍ ଫାକ୍ରିଙ୍କ ଅପୋଜିଟ୍‌ରେ ଦେଖିବାକୁ ମିଳିଥିଲା​।

କହିରଖୁ ଯେ, ଇଡି ଅତ୍ୟଧିକ କଠୋରତା ସହିତ ମନି ଲଣ୍ଡରିଂ ମାମଲା ସମାଧାନ କରୁଛି। ଗତ ଏକ ବର୍ଷ ମଧ୍ୟରେ ହଜାରେ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତିର ଖୁଲାସା ହୋଇଛି। ବଲିଉଡ ସହ ଜଡିତ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡରିଂ ମାମଲା ମଧ୍ୟ ଏହି ସମୟରେ ଚର୍ଚ୍ଚାରେ ରହିଛି। ଏଥିରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୋରା ଫତେହିଙ୍କ ସମେତ ଅନେକ ଅଭିନେତ୍ରୀଙ୍କ ନାଁ ସାମ୍ନାକୁ ଆସିଛି।

Related Articles

Back to top button
WP Twitter Auto Publish Powered By : XYZScripts.com