ଜୀବନଶୈଳୀ

ବିଶ୍ୱ ଜନ ସଂଖ୍ୟା ଛୁଇଁଲା ୮୦୦ କୋଟି

ଭୁବନେଶ୍ୱର, ୧୫/୧୧/୨୦୨୨-    ବିଶ୍ବ ଜନସଂଖ୍ୟା ୮୦୦ କୋଟିରେ ପହଞ୍ଚିଛି । ମାନବ ସମାଜରେ ବିବିଧତା ଓ ବିକାଶକୁ ନେଇ ଏହି ସଂଖ୍ୟା ଆନନ୍ଦ ମନାଇବାର ଏକ ସୁଯୋଗ ଓ ମାଇଲଖୁଣ୍ଟ ବୋଲି କୁହାଯାଉଛି । ଏଥିସହ ଏହି ଜନସଂଖ୍ୟା ବିସ୍ଫୋରଣ ସାଙ୍ଗରେ ନେଇ ଆସିଛି ଅନେକ ଆହ୍ୱାନ । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟ୍‌ରେସ ଜନସଂଖ୍ୟା ବୃଦ୍ଧି ଉପରେ ଏକ ତଥ୍ୟ ପ୍ରଦାନ କରିଛନ୍ତି । ଏହି ତଥ୍ୟକୁ ଅନୁଶୀଳନ କେଲେ ଆସନ୍ତା ଦିନରେ ଜନସଂଖ୍ୟା ବିସ୍ଫୋରଣ ଦ୍ୱାରା ଦେଖାଯିବାକୁ ଥିବା ଚ୍ୟାଲେଞ୍ଜ କିଭଳି ମୁକାବିଲା କରାଯିବ ତାହାକୁ ନେଇ ସମସ୍ତେ ଚିନ୍ତାରେ ପଡିଛନ୍ତି ।

ଜାତିସଂଘ ଆକଳନ ଅନୁସାରେ ବିଶ୍ୱର ଜନସଂଖ୍ୟା ୨୦୩୦ ସୁଦ୍ଧା ପ୍ରାୟ ୮୫୦ କୋଟି ଓ ୨୦୫୦ ସୁଦ୍ଧା ୯୭୦ କୋଟିରେ ପହଞ୍ଚିବ ବୋଲି କୁହାଯାଇଛି । ୨୦୮୦ ବେଳକୁ ଏହି ସଂଖ୍ୟା ପ୍ରାୟ ୧୦୪୦ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏବଂ ତା’ପରେ ବିଶ୍ବର ଜନସଂଖ୍ୟା ସ୍ଥିର ହେବ । ତେବେ ଏହି ସମୟ ମଧ୍ୟରେ ଅଧାରୁ ଅଧିକ ଜନସଂଖ୍ୟା ବୃଦ୍ଧି ବିଶ୍ୱର ୮ଟି ଦେଶରେ ଦେଖିବାକୁ ମିଳିବ । ଏହି ଦେଶ ମଧ୍ୟରେ ରହିଛି ଭାରତ, ନାଇଜେରିଆ, ମିଶର, ଇଥିଓପିଆ, କଙ୍ଗୋ, ପାକିସ୍ତାନ, ଫିଲିପାଇନ୍ସ ଓ ତାଞ୍ଜାନିଆ ।

ବର୍ତ୍ତମାନ ଚୀନ ବିଶ୍ବର ସବୁଠାରୁ ଜନବହୁଳ ଦେଶ ରହିଛି । ଜାତିସଂଘ ‘ୱାର୍ଲଡ ପପୁଲେସନ ପ୍ରସପେକ୍ଟସ୍‌’ ପକ୍ଷରୁ ପ୍ରକାଶ କରାଯାଇଥିବା ରିପୋର୍ଟରେ ୨୦୨୩ରେ ଭାରତ ଚୀନକୁ ଟପି ବିଶ୍ବର ସବୁଠାରୁ ଜନବହୁଳ ଦେଶରେ ପରିଣତ ହେବ । ୧୯୮୦ରୁ ଚୀନରେ ଲାଗୁ ହୋଇଥିଲା ଏକ ସନ୍ତାନ ନୀତି । ଏହି ନୀତି ୨୦୧୫ରେ ଶେଷ ହୋଇଛି । ଇତି ମଧ୍ୟରେ ଚୀନ ତା ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ କିଛିଟା ନିୟନ୍ତ୍ରଣ କରିପାରିଛି । ଅବଶ୍ୟ ଭାରତର ଜନସଂଖ୍ୟା ବୃଦ୍ଧିକୁ ନେଇ ଦେଖା ଦେଇଥିବା ଆହ୍ୱାନକୁ କିଛିଟା ମୁକାବିଲା କରାଯାଉଛି । କିନ୍ତୁ ପାକିସ୍ତାନ , ଇଥିଓପିଆ, ନାଇଜେରିଆ, ତାଞ୍ଜାନିଆ , ବାଂଲାଦେଶ ଭଳି ଦେଶ ଜନସଂଖ୍ୟା ବିସ୍ଫୋରଣ ପାଇଁ ଅଧିକ ଅସୁବିଧାରେ ପଡୁଛନ୍ତି । ଏବେଠୁ ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ସାରା ବିଶ୍ୱ ଉପରେ ଏହାର ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ରହିବ ।

 

Related Articles

Back to top button
WP Twitter Auto Publish Powered By : XYZScripts.com