
ଅମୃତସର() ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଦେଇଥିବା ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ଅକାଳୀ ଦଳ ନେତା ବିକ୍ରମ ସିଂହ ମାଜିଥିଆ। ସେ ପଞ୍ଜାବ ବିଧାନସଭାର ୨ଟି ନୁହେଁ ବରଂ କେବଳ ସିଦ୍ଧୁଙ୍କ ବିରୋଧରେ ଅମୃତସର ଇଷ୍ଟରୁ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।
ପୂର୍ବରୁ ବିକ୍ରମ ସିଂହ ତାଙ୍କର ପାରମ୍ପରିକ ଆସନ ମାଜିଥିଆ ଓ ଅମୃତସର ଇଷ୍ଟରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ସିଦ୍ଧୁ ଏହାକୁ ନେଇ ପ୍ରଶ୍ନ ଉଠାଇବା ସହ ସାହାସ ଅଛି ଯଦି କେବଳ ଅମୃତସର ଇଷ୍ଟରୁ ଲଢ଼ନ୍ତୁ ବୋଲି ଚ୍ୟାଲେଞ୍ଜ କରିଥିଲେ। ଏବେ ବିକ୍ରମ ସିଂହ ଏହାକୁ ଗ୍ରହଣ କରିଛନ୍ତି। ସେ ମାଜିଥିଆରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ଓ କେବଳ ଅମୃତସର ଇଷ୍ଟରୁ ଲଢ଼ିବେ ବୋଲି କହିଛନ୍ତି।
ସିଦ୍ଧୁଙ୍କ ଗର୍ବ ଭାଙ୍ଗିବା ଓ ରାଜନୀତିରେ ନମ୍ର ହେବାର ଶିକ୍ଷା ଦେବା ପାଇଁ ମାଜିଥିଆ କେବଳ ଗୋଟିଏ ଆସନରୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି। ତେବେ ତାଙ୍କ ଗଡ଼ ମାଜିଥିଆରୁ ଏଥର ତାଙ୍କ ପତ୍ନୀ ଗାନିଭା କୌର ନିର୍ବାଚନ ଲଢ଼ିବେ। ଅକାଳୀ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରାଯିବ।
ମାଜିଥିଆ କହିଛନ୍ତି, “ନିର୍ବାଚନରେ ଜିତିବା, ହାରିବା କିମ୍ବା କାହାକୁ ଚ୍ୟାଲେଞ୍ଜ କରିବା କଥା ଏଠାରେ ନାହିଁ। ଏହା କର୍ତ୍ତବ୍ୟର କଥା। ଏଥିସହ ଜଣେ ଗର୍ବୀ ବ୍ୟକ୍ତିଙ୍କୁ ଶିକ୍ଷା ଦେବାର ଅଛି। ଲୋକଙ୍କୁ ଭଲ ପାଇବା ଓ ନମ୍ର ହେବାର ଶିକ୍ଷା ଦେବାକୁ ମୁଁ କେବଳ ଅମୃତସର ଇଷ୍ଟରୁ ଲଢ଼ିବି।
ମୁଁ ଏଠାରେ ଲୋକଙ୍କ ହୃଦୟ ଜିତିବାକୁ ଆସିଛି। ମାଜିଥିଆକୁ ମୁଁ ଯେମିତି ବିକଶିତ କରିପାରିଛି, ଅମୃତସର ଇଷ୍ଟକୁ ମଧ୍ୟ ଅନୁରୂପ ଭାଗେ ଗଢ଼ି ତୋଳିବାକୁ ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛି। ମୋ ରାଜନୀତିକ କ୍ୟାରିୟର ଆରମ୍ଭରୁ ମୋ ସହ ରହିଥିବା ସମର୍ଥକଙ୍କ ପରାମର୍ଶ ପରେ ମୁଁ ମାଜିଥିଆରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସେମାନେ ମୋ ସହ ସବୁବେଳେ ଅଛନ୍ତି। ଏବେ ଅମୃତସରରେ ଲଢ଼େଇ ହେବ।”
ସୋମବାର ବିକ୍ରମ ସିଂହଙ୍କ ପତ୍ନୀ ଅକାଳୀ(ବି) ଟିମରୁ ମାଜିଥିଆ ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏବେ ବିକ୍ରମ ସିଂହ ମାଜିଥିଆ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ। ୨୦୧୭ ବିଧାନସଭା ନିର୍ବାଚନରେ ସିଦ୍ଧୁ ଅମୃତସର ଇଷ୍ଟ ଆସନରୁ ବେଶ ସହଜରେ ଜିତି ଥିଲେ। କାରଣ ଏହି ସମୟରେ ତାଙ୍କ ବିରୋଧରେ କୌଣସି ବଡ଼ ଚେହେରା ପ୍ରାର୍ଥୀ ହୋଇ ନଥିଲେ।
ହେଲେ ଏବେ ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂହ ମାଜିଥିଆ ଛିଡ଼ା ହୋଇଛନ୍ତି। ବିକ୍ରମ ୨୦୧୨ ଓ ୨୦୧୭ରେ ମାଜିଥିଆ ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ। ମାଜିଥିଆ ହେଉଛି ବିକ୍ରମଙ୍କ ଗଡ଼। ତଥାପି ସେ ଚଳିତ ବିଧାନସଭା ନିର୍ବାଚନରେ ଅମୃତସର ଇଷ୍ଟରୁ ଲଢ଼ିବେ।
ଡିସେମ୍ବର ମାସରେ ବିକ୍ରମ ମାଜିଥିଆଙ୍କ ବିରୋଧରେ ଡ୍ରଗ୍ସ କେସ୍ ରୁଜୁ ହୋଇଥିଲା। ତେବେ ସେ ହାଇକୋର୍ଟରୁ ଅନ୍ତରୀଣ ଜାମିନ ପାଇଛନ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଏସ୍ଆଇଟି କରୁଛି। ମାଜିଥିଆ ଗିରଫ ନ ହେବା ଯାଏ ସିଦ୍ଧୁ ଚୁପରେ ବସିବେ ନାହିଁ ବୋଲି ନିକଟରେ ଘୋଷଣା କରିଥିଲେ। ହେଲେ ଏବେ ସେ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।