ବିଜେପି ବିଧାୟକଙ୍କ ବଡ଼ ବୟାନ: କଂଗ୍ରେସରେ ସାମିଲ ହେବାକୁ ଏକାଧିକ ମନ୍ତ୍ରୀ ପ୍ରସ୍ତୁତ
![](https://i0.wp.com/odia.mobilenews24x7.com/wp-content/uploads/2022/01/BJP-18.jpg?resize=650%2C400&ssl=1)
ବେଙ୍ଗାଲୁରୁ() ପୁଣିଥରେ କର୍ଣ୍ଣାଟକା ରାଜନୀତି ସରଗରମ ହୋଇ ଉଠିଛି। ଏଠାରେ କ୍ଷମତାରେ ଥିବା ବିଜେପିର ଜଣେ ବରିଷ୍ଠ ନେତା ତଥା ବିଧାୟକ ବାସଭନା ଗୌଡ଼ା ପାଟିଲ ୟାତନାଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କର୍ଣ୍ଣାଟକାରେ କ୍ୟାବିନେଟ ମନ୍ତ୍ରୀ ଥିବା ଏକାଧିକ ନେତା କଂଗ୍ରେସରେ ସାମିଲ ହେବାକୁ ପ୍ରସ୍ତୁତ ଅଛନ୍ତି। ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ମାତ୍ରେ ସେମାନେ କଂଗ୍ରେସକୁ ଯିବେ ବୋଲି ସେ ଦାବି କରିଛନ୍ତି।
ବିଜେପି ବିଧାୟକଙ୍କ ଏହି ବୟାନ ସହ କର୍ଣ୍ଣାଟକା କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଓ ବିରୋଧୀ ଦଳ ନେତା ସିଦ୍ଧରମୈୟା ବି ଏକମତ ହୋଇଛନ୍ତି। ବିଜେପିର ଅନେକ ବିଧାୟକ ଓ ମନ୍ତ୍ରୀ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି ବୋଲି ଉଭୟ ନେତା କହିବା ପରେ ହଟଚମଟ ଦେଖିବାକୁ ମିଳିଛି। ଏହି ବୟାନ ସବୁ ସାମ୍ନାକୁ ଆସିବା ପରେ ବିଜେପି ଶିବିରରେ ଛନକା ପଶିଛି। ଦଳ ବେଶ ସତର୍କତାର ସହ ପୂରା ପ୍ରସଙ୍ଗ ଉପରେ ନଜର ରଖିଥିବା ଜଣାପଡ଼ିଛି।
ବିଧାୟକ ୟାତନାଲ କହିଛନ୍ତି, କଂଗ୍ରେସ ଓ ଜେଡିଏସ୍ରୁ ଆସି ବିଜେପି ସରକାରରେ ମନ୍ତ୍ରୀ ହୋଇଥିବା ନେତାମାନେ ଖୁବଶୀଘ୍ର ପଦ୍ମ ଛାଡ଼ିବେ। ସେମାନେ ନିର୍ବାଚନ ସମୟରେ ବିଜେପି ଛାଡ଼ି କଂଗ୍ରେସରେ ମିଶିବେ। ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ବିଜେପି ନେତାମାନେ ଯେଉଁଭଳି ପଦକ୍ଷେପ ନେଇଛନ୍ତି, କର୍ଣ୍ଣାଟକାରେ ମଧ୍ୟ ସମାନ ସ୍ଥିତି ଦେଖାଯିବ।
ନିର୍ବାଚନ ସମୟରେ ଦଳ ଛାଡ଼ିବାକୁ ଥିବା ନେତାମାନେ ଏବେ ଠାରୁ ହିଁ କଂଗ୍ରେସର ରଜ୍ୟ ସଭାପତି ଡିକେ ଶିବକୁମାରଙ୍କ ସହ କଥା ହୋଇ ସାରିଛନ୍ତି। ଏ ସମ୍ପର୍କରେ ଆମ ପାଖରେ ଖବର ମଧ୍ୟ ରହିଛି। କେବଳ ନିର୍ବାଚନ ତାରିଖକୁ ସେମାନେ ଅପେକ୍ଷା କରିଛନ୍ତି।
ଥରେ ତାରିଖ ଘୋଷଣା ହୋଇଗଲେ, ସେମାନେ ବିଜେପିରୁ ଇସ୍ତଫା ଦେବେ। ସେତେବେଳେ ଦଳ ଚାହିଁଲେ ବି କିଛି କରିପାରିବ ନାହିଁ। ତେଣୁ ଏବେ ହିଁ କିଛି ପଦକ୍ଷେପ ଗ୍ରହଣ କରାଯାଉ। ତୁରନ୍ତ କ୍ୟାବିନେଟ ସଂପ୍ରସାରଣ ହେଉ ବୋଲି ସେ ଦାବି କରିଛନ୍ତି।