ଜାତୀୟ

‘୧୨ ବିଜେପି ବିଧାୟକଙ୍କ ନିଲମ୍ବନ ଆଦେଶ ରଦ୍ଦ’

ନୂଆଦିଲ୍ଲୀ() ୧୨ ବିଜେପି ବିଧାୟକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିବା ମାମଲାର ଶୁଣାଣି କରି ମହାରାଷ୍ଟ୍ର ସରକାର ଉପରେ ବର୍ଷିଛନ୍ତି ସୁପ୍ରିମ କୋର୍ଟ। ଏହାକୁ ସମ୍ପୂର୍ଣ୍ଣ ଅସମ୍ବିଧାନିକ ଓ ମନମାନି କହି ଏହି ଆଦେଶକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ଅଦାଲତ ।

ବିଧାନସଭା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ସମ୍ପୃକ୍ତ ବିଧାୟକମାନଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା।  ଏହି ମାମଲାର ଶୁଣାଣି କରି ଏପରି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ।

ଏନେଇ ସୁପ୍ରିମକୋର୍ଟ କହିଛନ୍ତି, ବିଧାୟକଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରିବା ଅର୍ଥ କେବଳ ସମ୍ପୃକ୍ତ ବିଧାୟକଙ୍କୁ ନୁହେଁ ସେମାନଙ୍କ ନିର୍ବାଚନ କ୍ଷେତ୍ରକୁ ବି ଦଣ୍ଡିତ କରାଯାଉଛି। ଏହାର ଶୁଣାଣି କରି ଜଷ୍ଟିସ ଏଏମ୍‌ ଖାନବିଲକର କହିଛନ୍ତି,  ଏହି ନିର୍ବାଚନ ମଣ୍ଡଳୀର ଭୋଟରଙ୍କୁ ବିଧାନସଭାରେ ପ୍ରତିନିଧୀତ୍ୱ କରିବା ପାଇଁ କେହି ବି ନାହାନ୍ତି। କାରଣ ସେମାନଙ୍କ ବିଧାୟକଙ୍କୁ ଦୀର୍ଘ ଏକ ବର୍ଷ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି।  ଏଥିସହ ସେକହିଛନ୍ତି, ସମ୍ବିଧାନ ନିୟମ ଅନୁଯାୟୀ, ଏକ ନିର୍ବାଚନ କ୍ଷେତ୍ର ୬ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବିନା ପ୍ରତିନିଧୀରେ ରହି ପାରିବନି।

ଜଷ୍ଟିସ ଏଏମ୍‌ ଖାନବିଲକର ଓ ଜଷ୍ଟିସ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ଏହି ମାମଲାରୁ ଶୁଣାଣି କରୁଛନ୍ତି।  ଏନେଇ ଜବାବ ଦାଖଲ କରିବାକୁ ମହାରାଷ୍ଟ୍ର ସରକାର ସମୟ ମାଗିଛନ୍ତି।

ବିଧାନସଭା ଦ୍ୱାରା  ଦିଆଯାଇଥିବା ଦଣ୍ଡର ଯାଞ୍ଚ କୌଣସି ଅଦାଲତ କରିପାରିବେନି ବୋଲି ମହାରାଷ୍ଟ୍ର ସରକାର ଯୁକ୍ତି ବାଢ଼ିଥିବା ବେଳେ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ହେଲେ ଏହି ମାମଲାର ଶୁଣାଣି ପାଇଁ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବିଜେପି ବିଧାୟକ କହିଛନ୍ତି, ଏପରି ନିୟମ ଦ୍ୱାରା ବିଧାନସଭା ଦ୍ୱାରା ପ୍ରାକୃତିକ ନ୍ୟାୟ ବ୍ୟବସ୍ଥାକୁ ଉଲ୍ଲଘଂନ କରାଯାଇଛି।

ଏହା ମହାରାଷ୍ଟ୍ର ସରକାରଙ୍କ ଏକ ସୁଚିନ୍ତିତ ଷଡଯନ୍ତ୍ର । ଏପରି ନିଷ୍ପତ୍ତି ଯୋଗୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସରକାର ବିଧାନସଭାରେ ଅନାୟସରେ ବହୁମତ ହାସଲ କରିପାରିବେ।

୧୨ ବିଧାୟକଙ୍କ ମଧ୍ୟରୁ ସୁପ୍ରିମକୋର୍ଟରେ କିଛି ଜଣଙ୍କ ପକ୍ଷ ରଖିଥିବା ସିନିୟର ଆଡଭୋକେଟ ମୁକୁଲ ରୋହତଗୀ କହିଛନ୍ତି, ଜଣେ ବିଧାୟକକୁ ବର୍ଷେ ପର୍ଯ୍ୟନ୍ତ ନିଲମ୍ବିତ କରିବା ଅତ୍ୟନ୍ତ  ଅଯୁକ୍ତିକର ଘଟଣା। ଏହା ସମ୍ପୂର୍ଣ୍ଣ ଭାବେ ମନମାନୀ।

ଏହାବାଦ  ସୁପ୍ରିମକୋର୍ଟରେ ଆଉ କିଛି ନିଲମ୍ବିତ ବିଧାୟକଙ୍କ ପକ୍ଷ ରଖିଥିବା ସିନିଅର ଆଡଭୋକେଟ ମହେଶ ଜେଟମଲାନୀ କହିଛନ୍ତି,  ସଂସଦ ତଥା ବିଧାନସଭାରେ ନିୟମ ଲାଗୁ କରିବାକୁ ନିଲମ୍ବନ ଆଦେଶକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରାଯାଇପାରେ। କିନ୍ତୁ ଏହାକୁ ଗୋଟିଏ ସେସନ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ଉଚିତ ନୁହେଁ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ବିଧାନସଭାର ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ମହାରାଷ୍ଟ୍ର ସରକାର ୧୨ ବିଜେପି ବିଧାୟକଙ୍କୁ ଗତ ବର୍ଷ ନିଲମ୍ବିତ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com