ଓଡ଼ିଶା

ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କ‌ଲା ବିଜେପି: ସରକାରୀ ଅଧିକାରୀ ବିଜେଡି ପାଇଁ ପ୍ରଚାର କରୁଛନ୍ତି

ଭୁବନେଶ୍ବର () ବିଜେଡି ସରକାରୀ କଳ ଓ ବଳ ଏବଂ ଶାସନ କ୍ଷମତାର ଅପବ୍ୟବହାର କରିବା ସହ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି। ଶାସନ କ୍ଷମତାର ଚାପ ପ୍ରୟୋଗ କରି ସରକାରୀ ଅଧିକାରୀମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ କରାଇବା କାର୍ଯ୍ୟରେ ବ୍ୟବହାର କରୁଛି। ସରକାରୀ କର୍ମଚାରୀ ଓ ଅଫିସରଙ୍କ ଜରିଆରେ ନିରୀହ ଓ ସରଳ ଭୋଟରମାନଙ୍କୁ ଭୟଭୀତ କରାଯାଉଛି। ଏନେଇ ପ୍ରତିଦିନ ବିଜେପି ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ଓ ପ୍ରମାଣ ସହ ଅଭିଯୋଗ କରୁଛି। ସରକାରୀ କର୍ମଚାରୀ କୌଣସି ରାଜନୈତିକ ଦଳକୁ ସମର୍ଥନ କରିବା ଧର୍ତବ୍ୟ ଓ ଦଣ୍ଡନୀୟ ଅପରାଧ। ତେଣୁ ରାଜ୍ୟ ନିର୍ବାଚନ କମିସନ ଏଭଳି ସରକାରୀ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କରନ୍ତୁ। ଯାହାଦ୍ବାରା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ହୋଇପାରିବ ବୋଲି ବିଜେପି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଦାବି କରିଛି।

ଏହାସହ ବିଜେପି ଅଭିଯୋଗ କରିଛି ଯେ, ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶରେ ପନ୍ତିକାରୀ ଗ୍ରାମ ପଞ୍ଚାୟତର ଭିଏଲଡବ୍ଲ୍ୟୁମାନେ ବ୍ଲକ କାର୍ଯ୍ୟାଳୟରୁ କାର୍ଡ ପାଇନଥିବା ହିତାଧିକାରୀ ତଥା ଭୋଟରମାନଙ୍କୁ ଡାକି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରି ଶାସକ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରବର୍ତାଉଛନ୍ତି । ଏହା ସଂପୂର୍ଣ୍ଣ ଭାବେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ। ସେହିପରି କୋଭିଡ କଟକଣା ଉଲ୍ଲଂଘନ କରି ବାଙ୍କୀ ନିର୍ବାଚନମଣ୍ଡଳୀର ଡମପଡା ବ୍ଲକ ଅନ୍ତର୍ଗତ ୩୮ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଆଶିଷ କୁମାର ସାହୁ ଏବଂ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୦ ନମ୍ବର ଜୋନର ବିଜେଡି ପ୍ରାର୍ଥୀ ବବିତା ରାଉତଙ୍କ ନିର୍ବାଚନ ପ୍ରଚାର କରୁଥିବା ବିଜେପି ଅଭିଯୋଗ କରିଛି।

ବିଜେପି ପ୍ରତିନିଧି ଦଳରେ ସାଧାରଣ ସମ୍ପା‌ଦକ ଗୋଲକ ମହାପାତ୍ର, ମୁଖପାତ୍ର ସୋନାଲି ସାହୁ, ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ଲିଗାଲସେଲ୍‌ ସଂଯୋଜକ ଜୟନ୍ତ ଜେନା, ରବିଶଙ୍କର ପଟ୍ଟନାୟକ, ମହେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com