ବିଜ୍ଞାପନ ପାଇଁ ଯୋଗୀଙ୍କ ନାଁରେ ଇ-ମେଲ ଖୋଲିଥିବା ସାମ୍ବାଦିକ ଭୁବନେଶ୍ୱରରୁ ଗିରଫ

ନୂଆଦିଲ୍ଲୀ() ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ନକଲି ଇ- ମେଲ ତିଆରି କରିଥିବା ଜଣେ ଧୂର୍ତ୍ତ ସାମ୍ବାଦିକ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମନୋଜ କୁମାର ସେଠ୍ ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ସାପ୍ତାହିକ ଖବରକାଗଜ ପାଇଁ କାମ କରୁଥିଲେ। ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଇ-ମେଲ ଖୋଲି ବିଭିନ୍ନ କମ୍ପାନୀଗୁଡ଼ିକ ଠାକୁ ବିଜ୍ଞାପନ ହାତେଇବାକୁ ଲକ୍ଷ୍ୟ ରଖିଥିଲେ। ୨୦୧୬ରେ ଏନେଇ ଏଫଆଇଆର ରୁଜୁ ହୋଇଥିଲା। ଶେଷରେ ମନୋଜ କୁମାରଙ୍କୁ ଦିଲ୍ଲୀ ପୁଲିସ୍ର ସ୍ପେଶାଲ ଏବେ ଭୁବନେଶ୍ୱରରୁ ଗିରଫ କରିଛି।
ସ୍ପେଶାଲ ସେଲ୍ର IFSO ୟୁନିଟ୍ କହିଛି ଯେ ମନୋଜ ୨୦୧୬ ମସିହାରେ ଯୋଗୀ ଆଦିତ୍ୟନାଥଙ୍କ ନାମରେ ଗୋଟିଏ ଇ-ମେଲ ଆଇଡି ତିଆରି କରିଥିଲେ। ଉକ୍ତ ମେଲ୍ରୁ ସେ ପାୱାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ, ଓଏନଜିସି ଓ ଗେଲ୍ ପରି ସରକାରୀ କମ୍ପାନୀକୁ ଚିଠି ପଠାଉଥିଲେ। ଏଥିରେ ଯୋଗୀଙ୍କ ନକଲି ଦସ୍ତଖତ ମଧ୍ୟ ରହିଥିଲା। ଚିଠି ଦ୍ୱାରା ମନୋଜ ବିଭିନ୍ନ କମ୍ପାନୀକୁ ନିଜ ଖବରକାଗଜ ପାଇଁ ବିଜ୍ଞାପନ ଦେବାକୁ ନିର୍ଦ୍ଦେଶ ଦେଉଥିଲେ।
ଭୁବନେଶ୍ୱରରେ ରହି ମନୋଜ ଗୋଟିଏ ସାପ୍ତାହିକ ଖବରକାଗଜ ପାଇଁ କାମ କରନ୍ତି। ତାଙ୍କ ନାଁରେ କଟକରେ ଜଣେ ଅଧିକାରୀଙ୍କ ଠାରୁ ଟଙ୍କା ଠକେଇ ନେଇ ମାମଲା ମଧ୍ୟ ରହିଛି। ଏଫଆଇଆର ରୁଜୁ ହେବା ପରଠାରୁ ଅର୍ଥାତ ୨୦୧୬ରୁ ଦିଲ୍ଲୀ ପୁଲିସ୍ ତାଙ୍କୁ ଖୋଜୁ ଥିଲା। ଯାଞ୍ଚ ବେଳେ ମନୋଜ କୁମାର ଜଣେ ସାମ୍ବାଦିକ ବୋଲି ଜଣାପଡ଼ିଥିଲା। ସେ ତାଙ୍କର ଖବରକାଗଜ ପାଇଁ ବିଜ୍ଞାପନ ଚାହୁଁଥିଲେ। ଏଥିପାଇଁ ସେ ଯୋଗୀଙ୍କ ନାଁରେ ଇମେଲ ଆଇଡି ତିଆରି କରିଥିବା ପୁଲିସ୍ ଆଗରେ କହିଛନ୍ତି।
ଡିଜିପି କେପିଏସ୍ ମାଲହୋତ୍ରା କହିଛନ୍ତି ଯେ ଯୋଗୀ ଆଦିତ୍ୟନାଥଙ୍କ ତତ୍କାଳୀନ ପିଏସ୍ ରାଜ ଭୂଷଣ ରାୱତ ଦିଲ୍ଲୀ ପୁଲିସ୍ ନିକଟରେ ପ୍ରଥମେ ଏନେଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ yogiadityanath.mp@gmail.com ନାଁରେ କେହି ସରକାରୀ ଅଫିସଗୁଡ଼ିକୁ ମେଲ କରୁଥିଲେ।
ଅଭିଯୁକ୍ତ ପଠାଉଥିବା ଚିଠିରେ ଯୋଗୀ ଆଦିତ୍ୟନାଥଙ୍କର ନକଲି ଦସ୍ତଖତ ମଧ୍ୟ ରହିଥିଲା ବୋଲି ରାୱତ ୨୦୧୬ ମସିହାରେ ଅଭିଯୋଗ ଦାଖଲ କରିଥିଲେ।
ସେତେବେଳେ ଯୋଗୀ ଗୋରଖପୁର ଆସନରୁ ଲୋକସଭା ସାଂସଦ ଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍ ଅଭିଯୁକ୍ତଙ୍କ ଆଇପି ଠିକଣାକୁ ଆଧାର କରି ଖୋଜିବା ଆରମ୍ଭ କରିଥିଲା। ଶେଷରେ ତାଙ୍କୁ ଜାନୁଆରୀ ୨୮ ତାରିଖରେ ଭୁବନେଶ୍ୱରରୁ ଗିରଫ କରାଯାଇଛି।