ଅନ୍ୟାନ୍ୟ

କାନପୁରରେ ଇଲେକ୍ଟ୍ରିକ୍‌ ବସ୍‌ ଚଢ଼ି ଯିବାରୁ ୬ ବ୍ୟକ୍ତି ମୃତ; ତେଲେଙ୍ଗାନାରେ ନାବାଳକ କାର୍‌ ଚାପାରେ ୪ ମହିଳା ମୃତ

ନୂଆଦିଲ୍ଲୀ() ରବିବାର ରାତିରେ କାନପୁରର ଅନ୍ତର୍ଗତ ଟାଟ୍‌ ମିଲ୍‌ ଛକରେ ନିୟନ୍ତ୍ରଣ ହରାଇଥିବା ଗୋଟାଏ ଇଲେକ୍ଟ୍ରିକ୍‌ ବସ୍‌ ଚଢ଼ି ଯିବାରୁ ୬ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ୧୨ ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ସେହିପରି, ରବିବାର ଦିନ ତେଲେଙ୍ଗାନାର କରିମ୍‌ନଗର ଜିଲ୍ଲାରେ ଜଣେ ନାବାଳକ ଦ୍ରୁତ ଗତିରେ ଚଳାଉଥିବା ଗୋଟାଏ କାର୍‌ ରାସ୍ତାପାର୍ଶ୍ବର ଥିବା କୁଡ଼ିଆ ଭିତରକୁ ମାଡ଼ି ଯିବାରୁ ୪ଜଣ ମହିଳାଙ୍କର ମୃତ୍ୟୁ ଘଟିଥିବା ପୁଲିସ୍‌ କହିଛି।

ନିୟନ୍ତ୍ରଣରୁ ବାହାରି ଯାଇ କାନପୁରରେ ଉକ୍ତ ଇଲେକ୍ଟ୍ରିକ୍‌ ବସ୍‌ଟି ସେଠାରେ ଥିବା ଅନ୍ୟ କେତୋଟି ଗାଡ଼ି ସହ ଧକ୍କା ଖାଇବା ସହ ପ୍ରାୟ ୧୫ଜଣ ପଥଚାରୀଙ୍କ ଉପରେ ଚଢ଼ିଯାଇଥିଲା। ବସ୍‌ ଧକ୍କାରେ ୩ଟି କାର୍‌ ଏବଂ ଅନେକ ମୋଟର୍‌ସାଇକେଲ୍‌ ନଷ୍ଟ ହୋଇଯାଇଛି। ଏହାପରେ ଉକ୍ତ ବସ୍‌ଟି ଗୋଟାଏ ଟ୍ରାଫିକ୍‌ ବୁଥ୍ ଉପରେ ମାଡ଼ିଯାଇ ଗୋଟାଏ ଟ୍ରକ୍‌ ଉପରେ ଧକ୍କା ଖାଇବା ପରେ ଅଟକି ଥିଲା।

ବ୍ରେକ୍‌ ଫେଲ୍‌ ହେବାରୁ ବସ୍‌ଟି ବେକାବୁ ହୋଇଯାଇଥିବା କଥା କୁହାଯାଉଥିଲେ ମଧ୍ୟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଫେରାର୍‌ ବସ୍‌ ଡ୍ରାଇଭର୍‌ର ସନ୍ଧାନ ନିଆଯାଉଛି ବୋଲି ପୂର୍ବାଞ୍ଚଳ କାନପୁରର ଡେପୁଟି ପୁଲିସ କମିସନର୍‌ ପ୍ରମୋଦ କୁମାର କହିଛନ୍ତି। ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାରବର୍ଗଙ୍କ ପ୍ରତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି ଏବଂ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟୁଇଟ୍‌ କରି ଏହି ଦୁର୍ଘଟଣା ଯୋଗୁଁ ସମବେଦନା ଜଣାଇଛନ୍ତି।

ତେଲେଙ୍ଗାନା କାର୍‌ ଚାପା ଘଟଣାରେ ପୁଲିସ ୩ଜଣ ନାବାଳକଙ୍କୁ ଅଟକ ରଖିବା ସହ ଜଣଙ୍କର ବାପାଙ୍କୁ ଗିରଫ କରିଛି। ସେମାନଙ୍କ ଗାଡ଼ିଟି ରାସ୍ତାପାର୍ଶ୍ବସ୍ଥ କୁଡ଼ିଆକୁ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ଜଣ ମହିଳାଙ୍କର ମୃତ୍ୟୁ ଘଟିଥିଲା ଏବଂ ଡାକ୍ତରଖାନା ନିଆଯାଉଥିବା ବାଟରେ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇବା ପରେ ଉକ୍ତ କାର୍‌ଟି ଯାଇ ନର୍ଦ୍ଦମାରେ ପଡ଼ିଥିଲା।

ସ୍ଥାନୀୟ ପୁଲିସ କହିଛି ଯେ, ୯ମ ଶ୍ରେଣୀରେ ପଢୁଥିବା ଜଣେ ପିଲା ତା’ର ବନ୍ଧୁମାନଙ୍କୁ ନେଇ ଖୁସିରେ କାର୍‌ ଚଳାଉଥିବା ବେଳେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଛି। ନାବାଳ ପୁଅ କାର୍‌ ଚଳାଏ ‌ବୋଲି ତା’ର ବ୍ୟବସାୟୀ ବାପାଙ୍କୁ ଜଣାଥିବା କଥା ମଧ୍ୟ ପୁଲିସ କହିଛି। ତେଣୁ, ପୁଲିସ ତାଙ୍କୁ ଗିରଫ କରିଛି। କିନ୍ତୁ, କାର୍‌ ଚଳାଉଥିବା ବ୍ୟବସାୟୀଙ୍କ ନାବାଳକ ପୁଅ ଫେରାର୍‌ ହୋଇଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com