ପଦ୍ମବେଶରେ ମହାପ୍ରଭୁ: ପ୍ରଭୁଙ୍କ ପାଇଁ ପଦ୍ମ ଆଣିଲେ ଚିନ୍ତାମଣି ଆଜି ମଙ୍ଗଳ ଆଳତି ପର୍ଯ୍ୟନ୍ତ ମିଳିବ ଦର୍ଶନ
![](https://i0.wp.com/odia.mobilenews24x7.com/wp-content/uploads/2022/02/dzg654d65g4dg132dgdada-750x270-1.jpg?resize=750%2C270&ssl=1)
ପୁରୀ() ପଦ୍ମବେଶରେ ସଜେଇ ହୋଇଛନ୍ତି ମହାପ୍ରଭୁ। ରସିକ ନାଗର କାଳିଆ ସାଆନ୍ତଙ୍କ ସମେତ ବଡ଼ଭାଇ ବଳଭଦ୍ର ଓ ଭଗିନୀ ସୁଭଦ୍ରା ମଧ୍ୟ ଏହି ମନୋହର ବେଶରେ ବିଭୂଷିତ ହୋଇଛନ୍ତି। ରତ୍ନ ସିଂହାସନରେ ଅନୁଷ୍ଠିତ ହୋଇଛି ଏହି ଦୁର୍ଲଭ ବେଶ। ଏନେଇ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଚନ୍ଦନ ଲାଗି ବଢ଼ିବା ପରେ ବଡ଼ସିଂହାର ନୀତିରେ ଏହି ବେଶ କରାଯାଇଥିଲା। ପଦ୍ମ ବେଶରେ ହିଁ ଠାକୁରଙ୍କ ପହୁଡ଼ ନୀତି ଅନୁଷ୍ଠିତ ହୋଇଛି। ଗତବର୍ଷ କରୋନା ଯୋଗୁଁ ଭକ୍ତମାନେ ଏହି ବେଶ ଦର୍ଶନର ସୁଯୋଗ ପାଇ ନଥିଲେ। ମାତ୍ର ଆସନ୍ତାକାଲି ମଙ୍ଗଳ ଆଳତି ପର୍ଯ୍ୟନ୍ତ ଏହି ବେଶ ରହିବାକୁ ଥିବାରୁ ଏଥର ଭକ୍ତ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ।
ବଡ଼ଛତା ମଠରୁ ଏହି ବେଶ ଶ୍ରୀମନ୍ଦିରକୁ ବିଜେ କରିଥିଲା। ଶ୍ରୀମୁଖ ବଳା ପାଇଁ ମଠରୁ ତୁଳସୀ ମାଳ, ଗେଣ୍ଡୁ ଫୁଲ ମାଳ ବି ଶ୍ରୀମନ୍ଦିର ଯାଇଥିଲା। ଏକ ପଣ ପଦ୍ମଫୁଲ, ଏକ ପଣ ଡାଳି, ଶ୍ରୀମୁଖ ପଦ୍ମ, ଶ୍ରୀହସ୍ତ ପଦ୍ମ କଢ଼, କଦମ୍ବ ଫୁଲରେ ପ୍ରସ୍ତୁତ କରପଲ୍ଲବ ମାଳ, ମଗର କୁଣ୍ଡଳ, ତିଳକ ଓ ହଂସରେ ମହାପ୍ରଭୁଙ୍କୁ ସୁସଜ୍ଜିତ କରାଯାଇଛି। ପଣ୍ଡୁ ପୂର୍ଣ୍ଣିମାଠାରୁ ବଡ଼ଛତା ମଠ ପକ୍ଷରୁ ଏହି ବେଶ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆଜି କାରିଗରମାନେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିବା ପରେ ନୀଳ ଘୋଡ଼ ଲାଗି ସମୟରେ ଏହି ବେଶ କରାଯାଇଥିଲା। ସପ୍ତଦଶ ଶତାବ୍ଦୀରେ ବଡ଼ଛତା ମଠ ମହନ୍ତ ପଦ୍ମ ବେଶ ପରମ୍ପରା ଆରମ୍ଭ କରିଥିଲେ। ଭକ୍ତ ମନୋହର ଦାଶଙ୍କ ଭକ୍ତି ଅର୍ଘ୍ୟ ସ୍ବରୂପ ଏହି ପରମ୍ପରା ଅନୁଷ୍ଠିତ ହୋଇ ଆସୁଛି।