ଜାତୀୟ

କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକାରୁ ମନୀଷ ତିୱାରୀ ଓ ଗୁଲାମ ନବୀ ଆଉଟ, ତେଜିଲା ବିବାଦ

ନୂଆଦିଲ୍ଲୀ: କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି। ଏଥର ଷ୍ଟାର ପ୍ରଚାରକ ତାଲିକାକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। କଂଗ୍ରେସ ପଞ୍ଜାବ ବିଧାନସଭା ନିର୍ବାଚନର ପ୍ରଚାର ପାଇଁ ୩୦ ଜଣିଆ ତାଲିକା ଜାରି କରିଛି। ଏଥିରେ ଦଳର ଦୁଇ ବରିଷ୍ଠ ନେତା ମନୀଷ ତିୱାରୀ ଓ ଗୁଲାମ ନବୀ ଆଜାଦଙ୍କ ନାଁ ନାହିଁ।

ମନୀଷ ତିୱାରୀ ହେଉଛନ୍ତି ପଞ୍ଜାବର ହୋସିଆରପୁର ସାଂସଦ। ସେହିପରି ଗୁଲାମ ନବୀ ଆଜାଦ ଦୀର୍ଘବର୍ଷ ଧରି ପଞ୍ଜାବରେ କଂଗ୍ରେସ ପାଇଁ କାମ କରିବାର ଅଭିଜ୍ଞତା ରଖିଛନ୍ତି। ହେଲେ ଏମାନଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମନୀଷ ଓ ଗୁଲାମ ନବୀ ଅନ୍ୟ କିଛି ନେତାଙ୍କ ସହ ମିଶି ନିକଟରେ କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ ସମ୍ପର୍କରେ ମତ ରଖିଥିଲେ। କଂଗ୍ରେସର ତଥାକଥିତ ଜି-୨୩ ଗ୍ରୁପରେ ଏହି ଦୁଇ ଜଣ ଥିଲେ। ହେଲେ ଜି-୨୩ରେ ଥିବା ଆନନ୍ଦ ଶର୍ମା ଓ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ କଂଗ୍ରେସ ପଞ୍ଜାବର ଷ୍ଟାର ପ୍ରଚାରକ ତାଲିକାରେ ରଖିଛି। କିନ୍ତୁ ମନୀଷ ଓ ଆଜାଦଙ୍କୁ କାହିଁକି ତାଲିକାରେ ରଖାଗଲାନି, ତା’କୁ ନେଇ ପ୍ରଶ୍ନ ଉଠିଛି।

ଷ୍ଟାର ତାଲିକାରୁ ବାଦ ପଡ଼ିଥିବାରୁ ମନୀଷ ତିୱାରୀ ନିଜର ଅସନ୍ତୋଷ ମଧ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଯଦି କୌଣସି ଉପୟାରେ କିମ୍ବା ବିକଳ୍ପ ଭାବେ ଏପରି ହୋଇଥାଆନ୍ତା, ତା’ହେଲେ ମୁଁ ବେଶୀ ଖୁସି ହୋଇଥାଆନ୍ତି। ଏହା ପଛର କାରଣ ଆଉ ଗୁପ୍ତ ହୋଇନାହିଁ।” ସେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ଏ ସଂକ୍ରାନ୍ତରେ କରିଥିବା ଟ୍ୱିଟରେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ଅଭିଜିତ ଟ୍ୱିଟ କରି କହିଥିଲେ ଯେ “ପଞ୍ଜାବ କଂଗ୍ରେସରେ ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ଦେଖାଯାଇଛି। ସେମାନେ ଜଣେ ବରିଷ୍ଠ ନେତା ଓ ପଞ୍ଜାବର ସାଂସଦଙ୍କୁ ବାଦ ଦେଇଛନ୍ତି। ମନୀଷ ଜୀଙ୍କ ଭଳି ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେବା ଆଶ୍ଚର୍ଯ୍ୟଜନକ। ଏପରି ସଂକୀର୍ଣ୍ଣ ମାନସିକତା ଯୋଗୁ କଂଗ୍ରେସ କେବେ ହେଲେ ନିର୍ବାଚନ ଜିତି ପାରିବ ନାହିଁ।”

Related Articles

Back to top button