‘ସ୍ୱର୍ଗରେ ଶୁଭିବ ଲତାଙ୍କ ସ୍ୱର’

ମୁମ୍ବାଇ() ‘ଆଉ ନାହାନ୍ତି ମେଲୋଡି କୁଇନ୍। ଆରପାରିରେ ସୁର ସାମ୍ରାଜ୍ଞୀ। ଆମ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ସମସ୍ତ ପ୍ରିୟ ଲତା ଦିଦି। ଲକ୍ଷ ଲକ୍ଷ ସଦସ୍ୟଙ୍କ ସ୍ୱର ଆମକୁ ଛାଡି ଚାଲିଗଲେ। ସେ ଆଜି ଛାଡି ଚାଲିଯାଇଛନ୍ତି ସତ କିନ୍ତୁ ତାଙ୍କ ଗୀତ ପୂରା ଦେଶବାସୀଙ୍କ ପାଇଁ ସର୍ବଦା ମନେ ରହିବ। ସେ ଗୀତରେ ରହିବେ ଜୀବିତ। ସ୍ୱର୍ଗରେ ଶୁଭିବ ତାଙ୍କ ସ୍ୱର।’
ନିଜ ବ୍ଲକରେ ଏଭଳି କିଛି ଲେଖି ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବଲିଉଡର ମହାନାୟକ ଅମିତାଭ ବଚ୍ଚନ। ଲତାଙ୍କ ଦେହାନ୍ତ ଖବରକୁ ନେଇ ବିଗ୍ ବି ଦୁଃଖିତ ହୋଇପଡିଛନ୍ତି। ନିକଟରେ ଅମିତାଭ ବଚ୍ଚନ ସ୍ୱତନ୍ତ୍ରତା ଦିବସ ପାଇଁ ଦେଶଭକ୍ତି ଗୀତ ‘ହମ ହିନ୍ଦୁସ୍ତାନୀ’ରେ ଲତାଙ୍କ ସହ ଏକାଠି କାମ କରିଥିଲେ। ଏବେ ହଠାତ୍ ଲତାଙ୍କ ବିୟୋଗ ତାଙ୍କୁ ମର୍ମାହତ କରିଛି। ଅତ୍ୟନ୍ତ ଭାବୁକ ହୋଇପଡିଛନ୍ତି ବିଗ୍ ବି।
କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଥିବା ଲୋକପ୍ରିୟ ଗାୟିକା ଲତା ମଙ୍ଗେଶକରଙ୍କ ଆଜି ସକାଳେ ଦେହାନ୍ତ ହୋଇଛି। ୯୨ ବର୍ଷ ବୟସରେ ସେ ଆରପାରିକୁ ଚାଲିଯାଇଛନ୍ତି। ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୨୮ ଦିନ ହସ୍ପିଟାଲରେ ଚିକିତ୍ସାଧୀନ ହେବା ପରେ ଶେଷ ଆଜି ସକାଳୁ ସେ ଅଖି ବୁଜିଛନ୍ତି।
ସେ କରୋନା ଓ ପରେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ପ୍ରଥମେ ଆଇସିୟୁ ଓ ପରେ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ଅଳ୍ପ ସୁସ୍ଥ ହେବା ପରେ ତାଙ୍କୁ ପୁଣି ଆଇସିୟୁକୁ ଅଣାଯାଇଥିଲା। ହେଲେ ଗତକାଲି ପୁଣି ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ମଲ୍ଟି ଅର୍ଗାନ୍ ଫେଲ୍ ଯୋଗୁଁ ଆଜି ଲତାଙ୍କ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ରଜୈନିକ ଜଗତ ଠାରୁ ଆରମ୍ଭ କରି ଫିଲ୍ମ ଜଗତ, ବିଶିଷ୍ଟ ବ୍ୟବସାୟୀ ଓ କ୍ରିକେଟର ବଡ ବଡ ଷ୍ଟାରମାନେ ମଧ୍ୟ ସୋଶାଲ ମିଡିଆ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି।




