ଓଡ଼ିଶା

ବିମାନରେ ଉଡ଼ି କରୁଥିଲା ଚୋରି: ୩୬ ବର୍ଷରେ ହେମନ୍ତର ୫୦୦ ଅପରାଧ

କଟକ() ୮୦ ଦଶକରେ ମୁମ୍ବାଇର ତାଜ୍ ହୋଟେଲରେ ରହି ଅପରାଧର ମାଷ୍ଟରପ୍ଲାନ୍ ରଚିଥିବା କୁଖ୍ୟାତ ଅପରାଧୀ ହେମନ୍ତ କୁମାର ଦାସ ପୁଲିସ ଜାଲରେ ପଡ଼ିଛି। ବାଦାମବାଡ଼ି ଥାନା ପୁଲିସ ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହିର ୫୯ ବର୍ଷିୟ ହେମନ୍ତକୁ ଗିରଫ କରିଛି। ୧୯୮୬ରୁ ଅପରାଧ ଦୁନିଆକୁ ଆସିଥିବା ହେମନ୍ତ ଓଡ଼ିଶାରେ ଏକୁଟିଆ ୧୧୦ଟି ଚୋରି କରିଥିବା ପୁଲିସ ରେକର୍ଡ କହୁଛି। କିନ୍ତୁ ସେ ୫୦୦ରୁ ଅଧିକ ଚୋରି ଏକୁଟିଆ କରିଛି, ଯାହାର ହିସାବ ନିଜେ ହେମନ୍ତ ପୁଲିସକୁ ଦେଇଛି। ଏସବୁ ଚୋରି ଅଭିଯୋଗ ଥାନାରେ ପଞ୍ଜିକରଣ ହୋଇନାହିଁ। ଚୋରି କରିଥିବା ଟଙ୍କା ଓ ଅଳଙ୍କାରରେ ବିମାନରେ ଯାଇ ମୁମ୍ବାଇର ତାଜ୍ ଭଳି ବିଳାସପୂର୍ଣ୍ଣ ହୋଟେଲରେ ଅୟସ କରିବା ଓ ମଦ ପିଇ ଦେହଜୀବୀଙ୍କ ସହିତ ରାତି କଟାଇବା ତାର ସଉକ ଥିଲା। ପୁଲିସ ହେମନ୍ତର ରାଜ୍ୟ ବାହାରେ କରିଥିବା ଅପରାଧ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିବା ସୂଚନା ମିଳିଛି। ବାଦାମବାଡ଼ି ବିକାଶ ନଗର ଅଞ୍ଚଳର ପ୍ରତାପ ଚନ୍ଦ୍ର ଦାସଙ୍କ ଘର ଓ ଅଫିସର ଘର ତାଲା ଭାଙ୍ଗି ଗଲା ଜାନୁଆରି ୨୯ ତାରିଖରେ ବଡ଼ ଧରଣର ଚୋରି ହୋଇଥିଲା। ଘରୁ ଦୁର୍ବୃତ୍ତ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିଥିବା ବେଳେ ଅଫିସରୁ ନଗଦ ୫୦ ହଜାର ଟଙ୍କା, ଚେକ୍ ବହି ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟିଥିବା ସମ୍ପର୍କରେ ୩୦ ତାରିଖରେ ବାଦାମବାଡ଼ି ଥାନାରେ ଏତଲା ହୋଇଥିଲା। ପୁଲିସ ଘଟଣାର ତଦନ୍ତ ପରେ ହେମନ୍ତ ଏଭଳି କାଣ୍ଡ ଘଟାଇଥିବା ଜାଣିବାକୁ ପାଇଥିଲା। ଏହି ଲୁଟ୍ ପରେ ସେ ଅଳଙ୍କାରକୁ ବାରଙ୍ଗ ଦାଢ଼ାପାଟଣା ଅଞ୍ଚଳର ବୈଦ୍ୟନାଥ ସାହୁ ନାଁରେ ଜଣେ ବଣିଆକୁ ବିକ୍ରି କରିଥିବା ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ୪ ହଳ ସୁନା କାନଫୁଲ, ସୁନା ଓ ବ୍ରୋଞ୍ଜ ମିଶା ଚୁଡ଼ି, ୨ଟି ସୁନା ଚେନ୍, ୪ ହଳ ସୁନା ମୁଦି, ରୁପା ମୁକୁଟ, ଦୁଇ ହଳ ରୁପା ପାଉଁଜି, ଗୋଟିଏ ନକଲି ଆଧାର କାର୍ଡ, ମୋବାଇଲ୍ ଫୋନ, ନଗଦ ୨୨ ହଜାର ଟଙ୍କା, ଗ୍ରିଲ ଭାଙ୍ଗିବାରେ ବ୍ୟବହାର ହେଉଥିବା ଦୁଇଟି ସେଣୀ ଜବତ ହୋଇଛି। ମୋଟ ୪୦ ଗ୍ରାମ ଓଜନର ସୁନା ଗହଣା, ୨୫୦ ଗ୍ରାମ ରୁପା ଜବତ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com