ଜାତୀୟ

ଯାହା କହିଥିଲୁ କରିଛୁ, ଯାହା କହିବୁ କରିବୁ; ଏହି ପ୍ରତିଶ୍ରୁତି ସହ ୟୁପି ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା ବିଜେପି

ଚଣ୍ଡିଗଡ଼: ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଆଜି ‘ଲୋକ କଲ୍ୟାଣ ସଂକଳ୍ପ ପତ୍ର’ (ନିର୍ବାଚନ ଘୋଷଣାପତ୍ର) ଜାରି କରିଛି। ଘୋଷଣାପତ୍ର ସହିତ ବିଜେପି ‘କରକେ ଦିଖାୟା ହେ’ ନାମକ ଏକ ନୂଆ ନିର୍ବାଚନ ଗୀତ ମଧ୍ୟ ଲଞ୍ଚ କରିଛି। ଘୋଷଣାପତ୍ର ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ‘ଆସନ୍ତା ୫ବର୍ଷ ମଧ୍ୟରେ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ବିଜେପି ଏକ ସଂକଳ୍ପ ପତ୍ର ଜାରି କରୁଛି। ଏପରିକି ୫ବର୍ଷ ପୂର୍ବେ ମଧ୍ୟ ବିଜେପି ଏକ ସଂକଳ୍ପ ପତ୍ରକୁ ଏହି ସଭା ହଲରେ ରଖିଥିଲା ଏବଂ ଆମେ ଯାହା ସଂକଳ୍ପ ନେଇଥିଲୁ  ତାହା ପୂରଣ କରିଛୁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଯାହା କୁହାଯାଇଥିଲା ତାହା କରାଯାଇଛି। ଆଗକୁ ମଧ୍ୟ ଯାହା କହିବୁ, ତାହା କରିବୁ।

ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି ମଧ୍ୟ କହିଛନ୍ତି, ଆଜି ୟୁପିରେ ଆଇନ ରାଜ୍ କରୁଛି, ପ୍ରତ୍ୟେକ ନାରୀ ସୁରକ୍ଷିତ ଅଛନ୍ତି। ୨୦୧୭ ପୂର୍ବରୁ, ୭୦୦ ଦଙ୍ଗା ହୋଇଥିଲା। ୟୁପିରେ ଏବେ ପର୍ବ ଏବଂ ପର୍ବପର୍ବାଣୀ ଗୌରବ ସହିତ ପାଳନ କରାଯାଉଛି। ଏବେ ଝିଅମାନେ ବିଦ୍ୟାଳୟକୁ ଯାଇ ପାଠ ପଢ଼ୁଛନ୍ତି। ୮୬  ଲକ୍ଷ ଚାଷୀଙ୍କ ୩୬ ହଜାର କୋଟି ଋଣ ଛାଡ କରାଯାଇଛି। ଜଳସେଚନ କ୍ଷମତା ୨୨ ଲକ୍ଷ ହେକ୍ଟରକୁ ବୃଦ୍ଧି କରାଯାଇଛି। ୫ଲକ୍ଷ ଯୁବକ ଚାକିରି ପାଇଛନ୍ତି। ୬୦ ଲକ୍ଷ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯାଇଛି। ୟୁପିର ବେକାରୀ ହାର ୧୮ ପ୍ରତିଶତରୁ କମି ମାତ୍ର ୩ ପ୍ରତିଶତରେ ପହଞ୍ଚିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।

ତେବେ ଆସନ୍ତା ନିର୍ବାଚନ ପାଇଁ ବିଜେପି ଏହି ୬ଟି ମୁଖ୍ୟ ପ୍ରତିଶ୍ରୁତି ଦେଇଥିବା ଦେଖାଯାଇଛି। ସେଗୁଡ଼ିକ ହେଲା…….

୧. ସମସ୍ତ ଚାଷୀଙ୍କୁ ଜଳସେଚନ ପାଇଁ ମାଗଣା ବିଦ୍ୟୁତ୍ ମିଳିବ।
୨. ୫ ହଜାର କୋଟି ଟଙ୍କା ବ୍ୟୟରେ କୃଷି ଜଳସେଚନ ଯୋଜନା ଆରମ୍ଭ ହେବ।
୩. ୧୪ ଦିନ ମଧ୍ୟରେ ଆଖୁ ଚାଷୀଙ୍କୁ ଦରମା ଦିଆଯିବ, ବିଳମ୍ବ ହେ‌ଲେ ମିଳିବ ସୁଧ।
୪. ପ୍ରତ୍ୟେକ ବିଧବା ଏବଂ ଗରିବ ମହିଳାଙ୍କୁ ମାସକୁ ୧୫୦୦ଟଙ୍କା ପେନସନ ମିଳିବ।
୫. ୬ଟି ମେଗା ଫୁଡ୍ ପାର୍କ ସ୍ଥାପନ କରାଯିବ।
୬. ୫ ହଜାର କୋଟି ବିନିଯୋଗରେ ସର୍ଦ୍ଦାର ପଟେଲ ଏଗ୍ରି-ଭିତ୍ତିଭୂମି ମିଶନ।

Related Articles

Back to top button
WP Twitter Auto Publish Powered By : XYZScripts.com