ଓଡ଼ିଶା

୫ ଅଭିଯୁକ୍ତ ଗିରଫ କରିଛି ପୁରୀ ବାସେଳୀ ସାହି ଥାନା ପୋଲିସ : ବନ୍ଧୁକ ଦେଖାଇ ଦାଦା ବଟି ଆଦାୟ ଅଭିଯୋଗ

ପୁରୀ : ରାସ୍ତାରେ ବନ୍ଧୁକ ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ବାସେଳୀ ସାହି ଥାନା ପୋଲିସ । ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଜୀବନ୍ତ ଗୁଳି, ଗୋଟିଏ ଖଣ୍ଡା ଓ ଭୁଜାଲି, ୪ଟି ବାଇକ୍ ସହ ୮ ହଜାର ୫ ଶହ ଟଙ୍କା ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଉଛନ୍ତି ପାର୍ବତୀପୁର ଅଞ୍ଚଳର ଡମ୍ବରୁଧର ଖଟେଇ, ପ୍ରଦୀପ ପାଢୀ, ଦୀନବନ୍ଧୁ ପଲ୍ଲାଇ, ପାଇକ ସାହିର ଜୟୀରାମ ସାହୁ, କିଶୋର ସ୍ବାଇଁ।

ଅଭିଯୋଗ ଅନୁଯାୟୀ, ସୋମବାର ମଧ୍ୟାହ୍ନରେ କୁମ୍ଭାରପଡ଼ା ବାଘଆଖଡା ଲେନର‌ ବିଭୂପ୍ରସାଦ ସାହୁ ବାଇକ୍ ଯୋଗେ ପାର୍ବତୀପୁର ଯାଉଥିଲେ । ତେବେ ପାଇକସାହି ଠାରେ ଦୁର୍ବୃତ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ ଗାଳିଗୁଲଜ କରିବା ସହ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୧୦ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ପାଖରେ ଟଙ୍କା ନଥିବା କହିବାରୁ ବିଭୂଙ୍କୁ ଖଣ୍ଡା ଭୁଜାଲି ଦେଖାଇ ଭୟଭୀତ କରାଇଥିଲେ। ତେବେ ଥାନାରେ ଅଭିଯୋଗ ପରେ ବାସେଳୀ ସାହି ଥାନା ଅଧିକାରୀ କୁଳମଣୀ ସେଠୀଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ଅଭିଯୁକ୍ତମାନଙ୍କ ବିରୋଧରେ ପୂର୍ବରୁ ଅପରାଧିକ ମାମଲା ଥିବା ବାସେଳୀ ସାହି ଥାନା ପୋଲିସ ସୂଚନା ଦେଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com