ନୂଆଦିଲ୍ଲୀ () ବିଶ୍ୱରେ ଓମିକ୍ରନ ସଂକ୍ରମଣ ଧୀରେ ଧୀରେ କମୁଥିବା ବେଳେ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଓମିକ୍ରନ ଏତେଟା ଜଟିଳ ସ୍ଥିତି ସୃଷ୍ଟି କରିନଥିବା ବେଳେ ଏବେ ପୁଣିଥରେ କରୋନାକୁ ନେଇ ସର୍ତକ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଓମିକ୍ରନ କରୋନାରେ ଶେଷ ଭାରିଆଣ୍ଟ ହୋଇନପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଏହାସହ ଆଗକୁ କରୋନାର ନୂଆ ଭାରିଆଣ୍ଟ ଆସିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।
ନୂଆ ଭାରିଆଣ୍ଟ ଆସିଲେ, ଏହାର ସଂକ୍ରମଣ କ୍ଷମତା ଅଧିକ ରହିପାରେ । ତେବେ ନୂଆ ଭାରିଆଣ୍ଟ କେତେ ଘାତକ ହେବ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କୋଭିଡ-୧୯ ଟେକ୍ନିକାଲ ମୁଖ୍ୟ ମାରିଆ ଭାନ କିଛି ଏଭଳି ସୂଚନା ଦେଇଛନ୍ତି । ଏହାସହ ମାରିଆ କହିଛନ୍ତି, ଏବେ ସଂକ୍ରମଣ କମୁଛି ଏହା ଆମ ପାଇଁ ଭଲ ଖବର । ଆଗକୁ ମଧ୍ୟ ଏଭଳି ସ୍ଥିତି ଜାରି ରହୁ, କରୋନା ସଂକ୍ରମଣ ଆହୁରି କମ ହେଉ । ଯେଉଁଥିପାଇଁ ଲୋକଙ୍କୁ କରୋନା ଗାଇଡଲାଇନ ମାନିବାକୁ ଅପିଲ କରିଛନ୍ତି ମାରିଆ । ଆଉ ଏଭଳି ସୂଚନା ମିଳିବା ପରେ ପୁଣିଥରେ କରୋନାକୁ ନେଇ ନୂଆ ଆଶଙ୍କା ସୃଷ୍ଟି ହୋଇଛି ।