ନବରଙ୍ଗପୁର ସାଂସଦଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଘଟଣା: ଗିରଫଦାରୀକୁ ନେଇ ଉତ୍ତେଜନା
![](https://i0.wp.com/odia.mobilenews24x7.com/wp-content/uploads/2022/02/Untitled-1-34.jpg?resize=650%2C400&ssl=1)
ଉମରକୋଟ() ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ ଓ ଆକ୍ରମଣ ମାମଲାରେ ଜଣଙ୍କୁ ଗିରଫ କରାଯିବା ପ୍ରତିବାଦରେ ଝରିଗାଁ ଥାନା ପରିସରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଶତାଧିକ ଲୋକ ଥାନା ଭିତରକୁ ଧସେଇ ପଶିବାକୁ ପ୍ରୟାସ କରିଥିଲେ। ତେବେ ପୁଲିସ୍ ସେମାନଙ୍କୁ ଅଟକାଇବା ସହ ଥାନାର ଗେଟକୁ ବନ୍ଦ କରି ରଖିଛି। ଏହା ପରେ ଇଚ୍ଛାପୁର ପଞ୍ଚାୟତର ପ୍ରାୟ ୬ଟି ଗାଁର ଶତାଧିକ ଲୋକ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।
ପୁଲିସ ଗିରଫ କରିଥିବା କୁନୁ ତିୱାରୀଙ୍କୁ ଛାଡ଼ି ଦେବାକୁ ସେମାନେ ଅଡ଼ି ବସିଛନ୍ତି। ଯେ ପର୍ଯ୍ୟନ୍ତ ତାଙ୍କୁ ପୁଲିସ ନ ଛାଡ଼ିବ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀମାନେ କହିଛନ୍ତି।
ବିଜେପି ଉପସଭାପତି ବଳଭଦ୍ର ମାଝି ଘଟଣାସ୍ଥଳରେ ପହଞ୍ଚି ପୁଲିସ ଓ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ପୁଲିସ ଜାଣିଶୁଣି ଅଣ୍ଡା ମାରିଥିବା ବ୍ୟକ୍ତିଙ୍କୁ ଗିରଫ ନକରି ଜଣେ ବିଜେପି କର୍ମୀଙ୍କୁ ଗିରଫ କରିଛି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ବିଜେଡିର କିଛି କର୍ମୀ ଥାନା ସମ୍ମୁଖରେ ପ୍ଲାକାର୍ଡ ଧରି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଉ ବୋଲି ଦାବି କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ଝରିଗାଁ ବ୍ଲକ୍ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଧୁମାମ୍ ଗାଁ ଦେଇ ସାଂସଦ ରମେଶ ମାଝୀ ନିଜ କର୍ମୀଙ୍କ ସହ ନିର୍ବାଚନ ପ୍ରଚାର ପାଇଁ ଯାଉଥିବା ବେଳେ ତାଙ୍କୁ ଅଟକାଇଥିଲେ ଗ୍ରାମବାସୀ। ଧୁମାମ ଗ୍ରାମବାସୀ ହାତରେ ଠେଙ୍ଗାବାଡ଼ି ଧରି ତାଙ୍କୁ ତୀବ୍ର ବିରୋଧ କରିଥିଲେ। ସେମାନେ ସାଂସଦଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ମଧ୍ୟ କରିଥିଲେ। ଏହି ଘଟଣାକୁ ନେଇ ସାଂସଦଙ୍କ ପ୍ରତିନିଧିଙ୍କ ପକ୍ଷରୁ ଝରିଗାଁ ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ୍ ଗତକାଲି ରାତିରେ କୁନୁ ତିୱାରୀଙ୍କୁ ଗିରଫ କରିଥିଲା।