ଓଡ଼ିଶା

୮ ବର୍ଷ ହେଲା ବନ୍ଦ ପଡ଼ିଛି ମଧୁପାଟଣା ଫାଣ୍ଡି: ଘରୋଇ ଗାଡ଼ି ପାର୍କିଂ ସ୍ଥାନ, ପୁଲିସ ବାବୁଙ୍କ ବିଶ୍ରାମଘର

କଟକ() ସ୍ଥାନୀୟ ଅଞ୍ଚଳରେ ଅପରାଧୀକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ରଖିବା ସହ କୌଣସି ବିଶୃଙ୍ଖଳା ହେଲେ ସେଠାରେ ପୁଲିସ ଶିଘ୍ର ପହଞ୍ଚିବା ପାଇଁ ଫାଣ୍ଡିର ବ୍ୟବସ୍ଥା କରାଯାଏ। ମଧୁପାଟଣା ଥାନା ଅଧୀନରେ ଅନ୍ଦରପୁରଠାରେ ୨୦୦୬ରେ ଫାଣ୍ଡି ପ୍ରତିଷ୍ଠା ହୋଇଥିଲା। ମାତ୍ର ଗତ ୮ବର୍ଷ ହେବ ଫାଣ୍ଡିରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ନିଯୁକ୍ତି ପାଇ ନାହାନ୍ତି। ଦୀର୍ଘ ବର୍ଷ ଧରି ଫାଣ୍ଡିଟି ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ‌ଏବେ ଏହାର ପରିସରରେ ଘରୋଇ ଚାରି ଚକିଆ ଗାଡି ପାର୍କିଂ କରାଯିବା ସହିତ ଏହା ମଧୁପାଟଣା ଥାନା କର୍ମଚାରୀଙ୍କ ବିଶ୍ରାମ ନେବାର ସ୍ଥାନ ପାଲଟିଛି। ଏବେ ଅନ୍ଦରପୁରଠାରେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା ଅପାର୍ଟମେଣ୍ଟ ଫ୍ଲାଟ ବଣ୍ଟନ କେଳାଙ୍କାରୀ ଘଟଣା ପଦାକୁ ଆସିବା ପରେ ଉକ୍ତ ଫାଣ୍ଡିକୁ ପୁଣି କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି। ସହରର ମଧୁପାଟଣା ଥାନା ଅଧୀନରେ କଲ୍ୟାଣନଗର ଅନ୍ଦରପୁରଠାରେ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମାଣ ହୋଇଥିବା ଆପାର୍ଟମେଣ୍ଟ ସମ୍ମୁଖରେ ୨୦୦୬ରେ ମଧୁପାଟଣା ଟାଉନ୍‌ ଆଉଟ୍‌ ପୋଷ୍ଟ ବା ଫାଣ୍ଡି ନିର୍ମାଣ କରାଯାଇଥିଲା।

କଲ୍ୟାଣ ନଗର, ରାଜେନ୍ଦ୍ର ନଗର, ଅନ୍ଦରପୁର, ନୂଆପଡା ଆଦି ଅଞ୍ଚଳ ବାସିନ୍ଦାଙ୍କୁ ଶିଘ୍ର ପୁଲିସ ସେବା ଯୋଗାଇ ଦେବାକୁ ୧୬ ବର୍ଷ ପୂର୍ବେ ଏଠାରେ ଏହା ପ୍ରତିଷ୍ଠା କରାଯାଇଥିଲା। ୨୦୦୬ରୁ ୨୦୧୪ ପର୍ଯ୍ୟନ୍ତ ଫାଣ୍ଡିଟି କାର୍ଯ୍ୟକ୍ଷମ ଥିଲା। ମାତ୍ର ବରିଷ୍ଠ ପୁଲିସ ଅଧିକାରୀଙ୍କ ଇଚ୍ଛାଶକ୍ତି ଅଭାବ ସହିତ କର୍ମଚାରୀ ଅଭାବର କାରଣ ଦର୍ଶାଇ ଏହାକୁ ବନ୍ଦ କରି ଦିଆଯାଇଛି। ଏବେ ଏହାର ପରିସରରେ ଘରୋଇ ୪ ଚକିଆ ଗାଡି ପାର୍କିଂ ଓ ସର୍ଭିସିଂ କରାଯାଉ ଥିବାର ଦେଖିବାକୁ ମିଳିଛି। ଫାଣ୍ଡିଟିକୁ ଏବେ ମଧୁପାଟଣା ଥାନାର କର୍ମଚାରୀ ବିଶ୍ରାମ ନେବାକୁ ବ୍ୟବହାର କରାଯାଉଛି। ଏପରିକି କିଛି ବ‌ର୍ଷ ପୂର୍ବେ ଏଠାରେ ସଂଧ୍ୟା ପରେ ନିୟମିତ ଭାବେ ଭୋଜି ଭାତର ଆସର ଜମୁଥିବାର ଅଭିଯୋଗ ହୋଇଥିଲା। ଦୀର୍ଘ ବର୍ଷ ଧରି ଫାଣ୍ଡିଟି ବନ୍ଦ ଥିବାରୁ ଏବେ ସ୍ଥାନୀୟ ଅଞ୍ଚଳରେ ଅପରାଧୀକ କାର୍ଯ୍ୟକଳାପ ବଢି ଚାଲିଥିବା ଅଭିଯୋଗ ହୋଇଛି। ଅନ୍ଦରପୁର‌ଠାରେ ବସ୍ତିବାସିନ୍ଦାଙ୍କ ପାଇଁ ଅପାର୍ଟମେଣ୍ଟ ନିର୍ମାଣ ପରେ ଫାଣ୍ଡିକୁ ଚାଲୁ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଇ ଥିବା ବେଳେ ଏ‌ହାକୁ ପୁଲିସ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇ ନଥିଲା। ଅନ୍ଦରପୁର ବସ୍ତିବାସିନ୍ଦା ଆପାର୍ଟମେଣ୍ଟ ବଣ୍ଟନରେ ଅନିୟମିତତା ହେବା ଘଟଣା ପଦାକୁ ଆସିବା ପରେ ସେଠାରେ ପୂର୍ବତନ ବିଜେଡି କର୍ପୋରେଟ ରଞ୍ଜିତା କରଣଙ୍କ ସ୍ବାମୀ ରାଜା କରଣ ନାନା ଅସାମାଜିକ କାମ କରିବା ଘଟଣାକୁ ନେଇ ମଧ୍ୟ ଅଭିଯୋଗ ହେଉଛି। ଅନ୍ଦରପୁର ଓ ଏହାର ଆଖପାଖ ଅଞ୍ଚଳରେ ଅପରାଧୀକ ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଫାଣ୍ଡିକୁ ପୁନଃ କାର୍ଯ୍ୟକ୍ଷମ କରିବା ସହ ନିୟମିତ ପୁଲସି ପାଟ୍ରୋଲିଂ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com