ସ୍ବାମୀ ନା ସୈତାନ : ମଦ ନିଶାରେ ସ୍ତ୍ରୀକୁ ମାରି ଶାଗବାଡିରେ ପୋତିଦେଲା
![](https://i0.wp.com/odia.mobilenews24x7.com/wp-content/uploads/2022/02/vlcsnap-2022-02-14-11h12m07s373.png?resize=780%2C470&ssl=1)
ତେଲକୋଇ() ମଦ ନିଶାରେ ସ୍ତ୍ରୀକୁ ହତ୍ୟା କରି ଶାଗବାଡିରେ ପୋତିଦେଲା ନୃଶଂସ ସ୍ବାମୀ । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ସାଥି ହୋଇ ରହିବାର କଥା ଦେଇଥିବା ସ୍ବାମୀ ସାଜିଲା ସୈତାନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଶିଙ୍କୁଳାବାହାଳ ଗାଁରେ । ମୃତ ମହିଳା ହେଲେ ବିଳାସ ପ୍ରଧାନ ।
ଶନିବାର ରାତିରେ ସ୍ବାମୀ ପାଣ୍ଡବ ଉମାନ୍ତ ମଦ ନିଶାରେ ଘରକୁ ଫେରିଥିଲେ । କୌଣସି କାରଣରୁ ଦମ୍ପତ୍ତିଙ୍କ ମଧ୍ୟରେ ଝଗଡା ହୋଇଥିଲା । ପାଣ୍ଡବ ଉତ୍ତ୍ୟକ୍ତ ହୋଇ ବିଳାସଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ବିଳାସଙ୍କ ପୁଅ ପୋଲିସ ପାଖରେ ପ୍ରକାଶ କରିଛି । ହତ୍ୟା କରିବା ପରେ ଦୋଷ ଲୁଚାଇବାକୁ ଯାଇ ରବିବାର ଦିନ ଭୋର ସମୟରେ ଘରର ପଛ ପାଖରେ ଥିବା ଶାଗ ବାଡିରେ ମୃତଦେହକୁ ପୋତିଥିଲା ପାଣ୍ଡବ। ବିଳାସଙ୍କ ପୁଅଙ୍କଠାରୁ ଏ ସମ୍ପର୍କରେ ଜାଣିବାକୁ ପାଇ ଘର ପଛ ପାଖରେ ରହୁଥିବା ପାଣ୍ଡବଙ୍କ ଭାଇ ଏନେଇ ରବିବାର ଦିନ ଉପର ଓଳି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ତେଲକୋଇ ପୋଲିସ ପହଞ୍ଚି ରବିବାର ବିଳମ୍ବିତ ରାତିରେ ମାଟି ତଳୁ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଥିବାବେଳେ ତଦନ୍ତ ଜାରି ରଖିଛି ।