ଓଡ଼ିଶା

ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ମିଳିନି ରାଗିଂ ସୁରାକ, ତଦନ୍ତ ଜାରି

ଭୁବନେଶ୍ୱର:  ବହୁ ଚର୍ଚ୍ଚିତ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ୧୧ ଦିନ ବିତି ଯାଇଥିଲେ ବି ଖାଲି ରହିଛି ପୋଲିସର ହାତ । ପ୍ରକୃତ ଅପରାଧୀଙ୍କୁ ଗିରଫ କରିବାରେ ବିଫଳ ପୋଲିସ ମଙ୍ଗଳବାର ନିଜର ଅସହାୟତା ପ୍ରକାଶ କରିଛି । ସାମ୍ବାଦିକମାନଙ୍କୁ ସୂଚନା ଦେବାକୁ ଯାଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ରାଗିଂ ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ଠୋସ୍ ସୁରାକ ମିଳି ପାରିନାହିଁ ।

ଏହି ଘଟଣାରେ ୧୯୮ ଜଣଙ୍କୁ ପଚରା ଉଚରା ସରିଲାଣି । କଲେଜ ଠୁ ଆରମ୍ଭ କରି  ହଷ୍ଟେଲ, ମୃତ ରୁଚିକାଙ୍କ ସାଙ୍ଗ ସାଥୀ, ପରିବାର ବର୍ଗ, ସମ୍ପର୍କୀୟ  ବିଶେଷକରି ସନ୍ଦେହ କରାଯାଉଥିବା କ୍ଷେତ୍ରରେ ଅଧିକ ଜୋର୍ ଦିଆଯାଇଛି । ମାତ୍ର ପୋଲିସ୍ ହାତରେ କୌଣସି ପ୍ରମାଣ ମିଳିନାହିଁ । ରୁଚିକାଙ୍କ ମୋବାଇଲରେ କିଛି ଗୁପ୍ତ ତଥ୍ୟ ରହିଥିବା ନେଇ ଆଶା କରାଯାଉଛି । ମୋବାଇଲରୁ ଅଧିକ ତଥ୍ୟ ହାସଲ ପାଇଁ ଏହାକୁ ସିଙ୍ଗାପୁର ପଠାଯିବ । ଏହି ଘଟଣାର ସବୁ ଦିଗରେ ତଦନ୍ତ ଚାଲୁରହିଛି ।  କାହା ପାଖରେ କିଛି ତଥ୍ୟ ଥିଲେ ଜଣାଇବାକୁ ଏକ ସ୍ୱତନ୍ତ୍ର ଗୁପ୍ତ ନମ୍ବର ଜାରି କରାଯାଇଛି ।

ଏହା ସତ୍ତ୍ୱେ ବିଶେଷ  କିଛି ହସ୍ତଗତ ହୋଇପାରିନାହିଁ ।  ହଷ୍ଟେଲ ପରିଚାଳକ ଏବଂ କୌଣସି ଜଣେ ବି ପିଲା ରାଗିଂ ନେଇ କିଛି କହିନାହାନ୍ତି ।  ତେବେ ପୋଲିସ ନିସ୍କର୍ଷରେ ପହଁଞ୍ଚିବ ବୋଲି ଡିସିପି ସୂଚନା ଦେଇଛନ୍ତି । ସେପଟେ ନ୍ୟାୟ ଦାବି ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରୁଚିକାଙ୍କ ମାଁ ଧାରଣା ଅବ୍ୟାହତ ରଖିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com