ଜାତୀୟ

ଭାରତ ଉପରେ ୟୁକ୍ରେନ ସଙ୍କଟର ପ୍ରଭାବ, ତୁରନ୍ତ ଦେଶ ଛାଡିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ() ୟୁକ୍ରେନ ଉପରେ ରୁଷର ସମ୍ଭାବ୍ୟ ଆକ୍ରମଣର ପ୍ରଭାବ ଏବେ ଭାରତ ଉପରେ ପଡିଲାଣି। ୟୁକ୍ରେନ ସ୍ଥିତ ଭାରତୀୟ ଦୂତାବାସ ଭାରତୀୟଙ୍କୁ ଦେଶ ଛାଡିବାକୁ ପରାମର୍ଶ ଦେଇଛି। ବିଶେଷ କରି ଛାତ୍ର-ଛାତ୍ରୀଙ୍କୁ ଅସ୍ଥାୟୀ ଭାବେ ସ୍ଵଦେଶ ଫେରିଯିବାକୁ ଦୂତାବାସ ପକ୍ଷରୁ ଜାରି ଆଡଭାଇଜରିରେ କୁହାଯାଇଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟମାନେ ୟୁକ୍ରେନ ଯାତ୍ରା ନକରିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ୟୁକ୍ରେନରେ ନିଜର ସ୍ଥିତି ବିଷୟରେ ଅବଗତ କରିବାକୁ ଦୂତାବାସ ଭାରତୀୟ ନାଗରିକଙ୍କୁ କହିଛନ୍ତି। ଦୂତାବାସ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ୟୁକ୍ରେନରେ କାର୍ଯ୍ୟାଳୟ ସ୍ଵାଭାବିକ ଭାବେ ଜାରି ରହିଛି। ଭାରତ ପୂର୍ବରୁ ଆମେରିକା, ବ୍ରିଟେନ୍ ସମେତ ଅନେକ ଦେଶ ନିଜ ନାଗରିକଙ୍କୁ ୟୁକ୍ରେନ ନଯିବାକୁ ପରାମର୍ଶ ଦେଇ ସାରିଛନ୍ତି। ଏପରିକି ଆଉ କିଛି ଦେଶ ନିଜ ଦୂତାବାସରୁ ଅଣ ଜରୁରୀ କର୍ମଚାରୀଙ୍କୁ ସ୍ଵଦେଶ ଫେରାଇବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ୟୁକ୍ରେନରେ ବର୍ତ୍ତମାନ ଯୁଦ୍ଧ ସଙ୍କଟ ଦେଖା ଦେଇଛି। ରୁଷ ୟୁକ୍ରେନ ସୀମାରେ ଘାତକ ଯୁଦ୍ଧାସ୍ତ୍ର ସହ ଏକ ଲକ୍ଷରୁ ଅଧିକ ସୈନିକ ଠୁଳ କରି ସାରିଛି।

ଭାରତୀୟ ଦୂତାବାସ ପକ୍ଷରୁ ଗତ ଅନେକ ଦିନରୁ ୟୁକ୍ରେନରେ ରହୁଥିବା ଭାରତୀୟଙ୍କ ସହ ଯୋଗାଯୋଗ କରାଯାଉଥିଲା। ଦୂତାବାସ ପକ୍ଷରୁ ସେହି ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଉଛି, ଯାହାଙ୍କୁ କୌଣସି ସ୍ଥିତିରେ ସାହାଯ୍ୟର ଆବଶ୍ୟକତା ରହିଛି। ତେଣୁ ଭାରତୀୟ ଦୂତାବାସ ଅତି ଜରୁରୀ ନହେଲେ ୟୁକ୍ରେନ ଯାତ୍ରା ନକରିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି।

Related Articles

Back to top button