ଓଡ଼ିଶା

ମିଳିଲାନି ଶବବାହକ ଗାଡ଼ି, ଷ୍ଟ୍ରେଚରରେ ମୃତଦେହ ଧରି ପଳାଇଲେ

ଭବାନୀପାଟଣା() ଡାକ୍ତରଖାନା ପକ୍ଷରୁ ମିଳିଲାନି ଶବବାହକ ଗାଡ଼ି।  ଡାକ୍ତରଖାନାରୁ ଷ୍ଟ୍ରେଚରରେ  ମୃତଦେହ ଧରି ପଳାଇଲେ ପରିବାର ଲୋକେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ।

ମିଳିଥିବା ସୂଚନା ଅନୁସାରେ, ଥୁଆମୂଳ ରାମପୁର ବ୍ଲକ କାଠକୁରା ଗାଁର ସୁନାଇ ମାଝୀ ରବିବାର ବାଥରୁମ୍‌ରେ ପଡ଼ି ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ସେହି ଦିନ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲେ।

ପରିବାର ଲୋକେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସୁନାଇଙ୍କ ଚିକିତ୍ସା ଚାଲିଥିଲା।  ଗତକାଲି ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ଘରକୁ ମୃତଦେହ ନେବାପାଇଁ  ଡାକ୍ତରଖାନା ପକ୍ଷରୁ ଶବ ବାହକ ଗାଡି ଦେବାକୁ ଦୁଇରୁ ତିନି ଘଣ୍ଟା ବିଳମ୍ବ ହୋଇଥିଲା। ପରେ ପରିବାର ଲୋକେ ଷ୍ଟ୍ରେଚରରେ ମୃତଦେହ ଧରି ଗାଁ ଅଭିମୁଖେ ବାହାରିଥିଲେ। ତେବେ ଅଧା ବାଟରେ ଭବାନୀପାଟଣା ଟାଉନ ପୁଲିସ ସେମାନଙ୍କୁ ଅଟକାଇଥିଲା।  ପୁଲିସ ସୁନାଇଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରି ଆମ୍ବୁଲାନ୍ସ ଯୋଗେ ମୃତଦେହକୁ ଗାଁକୁ ପଠାଇଥିଲା।

ପରିବାର ଲୋକଙ୍କ ଅଭିଯୋଗ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Related Articles

Back to top button
WP Twitter Auto Publish Powered By : XYZScripts.com