ଜାତୀୟ

ସିଏଏ ହିଂସା: ପ୍ରଦର୍ଶନକାରୀଙ୍କଠୁ ଆଦାୟ କ୍ଷତିପୂରଣ ଫେରାଇବେ ୟୁପି ସରକାର, ନୂଆ ଆଇନରେ ପ୍ରକ୍ରିୟା ଆରମ୍ଭ କରିବାକୁ କହିଲେ ସର୍ବୋଚ୍ଚ କୋର୍ଟ

ନୂଆଦିଲ୍ଲୀ () ଉତ୍ତର ପ୍ରଦେଶରେ ସିଏଏ ବିରୋଧୀ ହିଂସା ପାଇଁ ପ୍ରଦର୍ଶନକାରୀଙ୍କ ଜବତ ସମ୍ପତ୍ତିକୁ ଫେରାଇବେ ସରକାର। ସୁପ୍ରିମକୋର୍ଟରେ ୟୁପି ସରକାର କହିଛନ୍ତି, ୨୦୧୯ ଡିସେମ୍ୱରରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କ୍ଷତିପୂରଣ ପାଇଁ ପ୍ରଦର୍ଶନକାରୀଙ୍କୁ ଜାରି କରାଯାଇଥିବା ନୋଟିସକୁ ଫେରାଇ ନିଆଯାଇଛି । ଏଣିକି ନୂଆ ଆଇନ ଆଧାରରେ ପୁଣି ଥରେ ପ୍ରକ୍ରିୟା ଆରମ୍ଭ କରାଯିବ।

ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅନୁମତି ଦେଇ କହିଛନ୍ତି, ଲୋକଙ୍କ ଠାରୁ କ୍ଷତିପୂରଣ ବାବଦକୁ ଆଦାୟ କରାଯାଇଥିବା ସମ୍ପତ୍ତିକୁ ଫେରାଇ ନୂଆ ଆଇନ ଅନୁସାରେ କ୍ଲେମ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ପରେ ପୁଣି କ୍ଷତିପୂରଣ ଆଦାୟ କରିପାରିବେ ।

ଗତ ସପ୍ତାହରେ ସୁପ୍ରିମକୋର୍ଟ ୨୦୧୯ରେ ଜାରି ନୋଟିସ ଉପରେ ପ୍ରଶ୍ନ ଉଠାଇଥିଲେ । ସର୍ବୋଚ୍ଚ କୋର୍ଟ କହିଥିଲେ, ଏହି ନିର୍ଦ୍ଦେଶ ୨୦୦୯ରେ ଆନ୍ଧ୍ର ପ୍ରଦେଶ ସହ ଜଡିତ ଏକ ମାମଲାରରେ ଦିଆଯାଇଥିବା ରାୟ ଅନୁରୂପ ନୁହେଁ। ସମ୍ପତ୍ତିର କ୍ଷତିପୂରଣ ଆଦାୟ ମାମଲା ପ୍ରଥମେ କ୍ଲେମ ଟ୍ରିବ୍ୟୁନାଲ ନିକଟକୁ ପଠାଯିବା ଦରକାର। ଯେଉଁଠି ନ୍ୟାୟିକ ଅଧିକାରୀ କ୍ଷତିପୂରଣ ଆଦାୟ ଉପରେ ନିଷ୍ପତ୍ତି ନେବେ । କିନ୍ତୁ ୟୁପି ସରକାରଙ୍କ ପ୍ରକ୍ରିୟାରେ ପ୍ରଶାସନ ପଠାଇଥିବା ନୋଟିସରେ ପ୍ରଶାସନ ହିଁ ନିଷ୍ପତ୍ତି ନେଇଥିଲା।

ୟୁପି ସରକାର କୋର୍ଟଙ୍କୁ କହିଥିଲେ, ୨୦୨୦ରେ ନୂଆ ପ୍ରକ୍ରିୟା ଆରମ୍ଭ କରି କ୍ଲେମ ଟ୍ରିବ୍ୟୁନାଲ ଗଠନ କରିଛନ୍ତି । ଏହାପରେ ସର୍ବୋଚ୍ଚ କୋର୍ଟ ପୂର୍ବ ନୋଟିସ କାହିଁକି ଫେରାଇ ନେଉନାହାନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଏହାର ଜବାବରେ ୟୁପି ସରକାରଙ୍କ ଆଡିସନାଲ ଆଡଭୋକେଟ ଜେନେରାଲ କହିଥିଲେ ଫେବ୍ରୁଆରୀ ୧୪ ଏବଂ ୧୫ରେ ନୂଆ ନୋଟିସ ଜାରି କରି ପୁରୁଣା ନୋଟିସ ଫେରାଇ ନିଆଯାଇଛି। ସମସ୍ତ ୨୭୪ ମାମଲାକୁ କ୍ଲେମ ଟ୍ରିବ୍ୟୁନାଲ ନିକଟକୁ ପଠାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com