ପୁଣି ଅଶାନ୍ତ ଯାଜପୁର: ବିଡିଓ ଓ ସାମ୍ବାଦିକଙ୍କୁ ଆକ୍ରମଣ, ଭୋଟ ବାକ୍ସ ଲୁଟ୍, ମତଦାନ ବନ୍ଦ
![](https://i0.wp.com/odia.mobilenews24x7.com/wp-content/uploads/2022/02/Untitled-12.png?resize=575%2C261&ssl=1)
ଯାଜପୁର() ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ବି ଯାଜପୁର ଜିଲ୍ଲାରେ ଗଣ୍ଡଗୋଳ ଏବଂ ହିଂସା ପରିଲକ୍ଷିତ ହୋଇଛି। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଯାଜପୁର ଜିଲ୍ଲାରେ କେତେକ ସ୍ଥାନରେ ଅଘଟଣ ଘଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, କୋରେଇ ବିଡିଓଙ୍କୁ ଆକ୍ରମଣ କରାଯାଇଛି। କିଛି ଦୁବୃର୍ତ୍ତ କୋରେଇ ବିଡିଓଙ୍କୁ ଆକ୍ରମଣ କରିଛନ୍ତି। ଏହାଫଳରେ କୋରେଇ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି। ଏଠାରେ ଥିବା ୮,୯,୧୦ଓ୧୧ ନମ୍ବର ବୁଥରେ ମତଦାନକୁ ବନ୍ଦ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାଯାଇଛି।
ଏଣେ ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି। କନକ ନିଉଜ୍, ଅର୍ଗସ୍ ନିଉଜ୍ ଓ କଳିଙ୍ଗ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଜଣାଯାଇଛି। ଏଠାରେ କେତେକ ଅସାମାଜିକ ଲୋକ ବୁଥରୁ ଭୋଟ ବାକ୍ସ ଲୁଟି ନେଇଯାଇଥିବାର ସୂଚନା ମିଳିଛି।