ଜାତୀୟରାଜନୀତି

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ଅଖିଳେଶଙ୍କୁ ଭେଟିଲେ ବିଜେପି ସାଂସଦ ରିତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ

ଲକ୍ଷ୍ନୌ() ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏବେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ତେବେ ଏଥିରେ ବିଜେପିର ପ୍ରୟାଗରାଜ ସାଂସଦ ରିତା ବହୁଗୁଣା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀ ନିଜ ଆଡୁ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି ।  ନିଜେ ଅଖିଳେଶ ଟ୍ୱିଟ୍‌ କରି ଏହି ସୂଚନା ଦେଇଥିବା ବେଳେ ଏହା ଏକ ଔପଚାରିକ ସାକ୍ଷାତ ଆଲୋଚନା ଥିଲା ବୋଲି ଉଲ୍ଲେଖ କରିଛନ୍ତି।

ଅଖିଳେଶ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ପରେ ତାଙ୍କ ମେଣ୍ଟ ଡବଲ ସେଞ୍ଚୁରୀ କରିଥିବା ଘୋଷଣା କରିଥିଲେ। ଏଥିରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଗ ଗ୍ରହଣ ପରେ ଆଗାମୀ ସରକାରଙ୍କ ରୂପରେଖ ସ୍ପଷ୍ଟ ହୋଇଯିବ ବୋଲି ମଧ୍ୟ କହିଥିଲେ। ତେବେ ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ପୂର୍ବରୁ ବିଜେପି ସାଂସଦଙ୍କ ପୁଅ ଅଖିଳେଶଙ୍କୁ ଭେଟିବା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ମୟଙ୍କ ଓ ଅଖିଳେଶଙ୍କ ସାକ୍ଷାତ ଆଲୋଚନାର ବିଷୟବସ୍ତୁ ନେଇ ଅଖିଳେଶ କୌଣସି ସୂଚନାଦେଇ ନାହାନ୍ତି। ତେବେ ମଙ୍ଗଳବାର ପୂର୍ବ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜନସମାବେଶ କରିଥିଲେ।

ଏହି ସମାବେଶରେ ଜନତାଙ୍କ ଭିଡ ଅନିୟନ୍ତ୍ରିତ ହୋଇଥିବାର ରିପୋର୍ଟ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ଏପରି ଏକ ସମୟରେ ଅଖିଳେଶଙ୍କୁ ମୟଙ୍କ ଭେଟିବା ଭୋଟରଙ୍କୁ ଭିନ୍ନ ବାର୍ତ୍ତା ଦେଇଛି। ଚଳିତ ଉତ୍ତରପ୍ରଦେଶ ବିଧାନସଭାରେ ମୟଙ୍କ ଦଳରୁ ପ୍ରାର୍ଥୀ ହୁଅନ୍ତୁ ବୋଲି ତାଙ୍କ ମା ତଥା ପ୍ରୟାଗରାଜ ସାଂସଦ ରିତା ବହୁଗୁଣା ଯୋଶୀ ଚାହୁଁଥିଲେ। ସେ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ ଆସନରୁ ପୁଅକୁ ପ୍ରାର୍ଥୀ କରିବାକୁ ହାଇକମାଣ୍ଡଙ୍କୁ ନିବେଦନ ମଧ୍ୟ କରିଥିଲେ। ହେଲେ ମନ୍ତ୍ରୀ ବ୍ରିଜେଶ ପାଠକଙ୍କୁ ପ୍ରାର୍ଥୀ କରାଯାଇଛି।

ତେବେ ରିତା ବହୁଗୁଣା ଯୋଶୀ ଏହି ବିଧାନସଭା ଆସନରୁ ୨୦୧୨ରେ କଂଗ୍ରେସ ଦଳରୁ ପ୍ରତିଦ୍ୱନ୍ଦ୍ୱୀତା କରି ବିଜୟୀ ହୋଇଥିଲେ। ୨୦୧୭ରେ ଏଠାରୁ ସେ ବିଜେପି ପ୍ରାର୍ଥୀ ଭାବେ ଲଢି ସମାଜବାଦୀ ପାର୍ଟିର ଅପର୍ଣ୍ଣା ଯାଦବଙ୍କୁ ଦୀର୍ଘ ମତ ବ୍ୟବଧାନରେ ପରାସ୍ତ କରିଥିଲେ। ଏଥିରୁ ରିତା ତାଙ୍କ ପୁଅକୁ ଏଠାରୁ ପ୍ରାର୍ଥୀ କରିବାକୁ ଆଗ୍ରହୀ ଥିବା ବେଳେ ହାଇକମାଣ୍ଡ ତାଙ୍କ ନିବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏଣୁ ଅଖିଳେଶଙ୍କ ସହ ମୟଙ୍କ ସାକ୍ଷାତ ଆଲୋଚନାକୁ ଏବେ ଭିନ୍ନ ଦୃଷ୍ଟିରେ ଦେଖା ଯାଉଛି। ହୁଏତ ସେ ଆଗାମୀ ଦିନରେ ସପାରେ ଯୋଗ ଦେଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।

ଚଳିତ ବିଧାନସଭା ନିର୍ବାଚନରେ ଅଖିଳେଶ ଓ ତାଙ୍କ ମେଣ୍ଟ ବହୁମତରେ ବିଜୟୀ ହେବେ ବୋଲି ଆଶା ବାନ୍ଧିଛନ୍ତି। ଏ ନେଇ ଅଖିଳେଶ ଏପର୍ଯ୍ୟନ୍ତ ମୁହଁରେ ବୟାନବାଜୀ କରିଆସୁଥିଲେ। ଏବେ ତାଙ୍କ ଦଳ ମଧ୍ୟ ଡିଜିଟାଲରେ ନିଜ ବିଜୟ ପ୍ରଚାର ଆରମ୍ଭ କରିଦେଇଛି। ଏ ବାବଦେ ପାର୍ଟି ପକ୍ଷରୁ ଟ୍ୱିଟରରେ ଅପଲୋଡ ଏକ ଭିଡିଓ ଏବେ ଚର୍ଚ୍ଚାର ବିଷ ପାଲଟିଛି।

Related Articles

Back to top button
WP Twitter Auto Publish Powered By : XYZScripts.com