ଓଡ଼ିଶା
ରେଳଧାରଣାରୁ ମିଳିଲା ଟ୍ରକ ମାଲିକଙ୍କ ମୃତଦେହ: ହତ୍ୟା ସନ୍ଦେହ

ଖଲ୍ଲିକୋଟ() ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସି ଅନ୍ତର୍ଗତ ତୋଟାଗାଁର ଟ୍ରକ ମାଲିକ ଜିତେନ୍ଦ୍ର ଦଳେଇଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ ଉପୁଜିଛି। ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଟ୍ରେନ ଲାଇନରେ ଫିଙ୍ଗି ଦେଇଛନ୍ତି। ରେଳଧାରଣାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ଜିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ ତୋଟାଗାଁର ଯୋଗୀ ଦଳେଇଙ୍କ ପୁଅ ଟ୍ରକ ମାଲିକ ଜିତେନ୍ଦ୍ର ଦଳେଇ ବ୍ରହ୍ମପୁରରୁ ବାଇକ ଯୋଗେ ନିଜ ଗ୍ରାମ ତୋଟାଗାଁକୁ ଫେରୁଥିବା ବେଳେ ଡିମିରିଆ ନିକଟରେ କିଛି ଦୁର୍ବୃତ୍ତ ତାଙ୍କୁ ମାରିବାକୁ ଗୋଡ଼ାଇ ଥିଲେ। ତାଙ୍କୁ ରକ୍ଷା କରିବାକୁ ସେ ନିଜର ପରିଚିତ ଲୋକଙ୍କୁ ମୋବାଇଲରେ ମେସେଜ ପଠାଇଥିଲେ। ଖବର ପାଇ ତୁରନ୍ତ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଏସ ଆଇ ଅମ୍ବିକା ବେଣିଆ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବହୁ ଖୋଜାଖୋଜି ପରେ ସମଲ ନିକଟସ୍ଥ ରେଳ ଲାଇନରୁ ଜିତେନ୍ଦ୍ରଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ମୃତଦେହ ଉଦ୍ଧାର କରିଥିଲା ପୁଲିସ।
ସମ୍ଭବତଃ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଟ୍ରେନ ଲାଇନରେ ଫିଙ୍ଗି ଦେଇଛନ୍ତି। ପରେ ତାଙ୍କ ଉପରେ ଟ୍ରେନ ମାଡିଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। କିଛି ଦୂରରେ ତାଙ୍କ ବାଇକଟି ପଡ଼ିଛି। ପୁଲିସ ବାଇକକୁ ଜବତ କରିଛି। ଆଜି ଫରେନସିକ ଟିମ ପହଞ୍ଚି ତଦନ୍ତ କରିବ। ବ୍ଳକରେ ଭୋଟ ଗଣତି ଚାଲିଥିବା ବେଳେ ଏଭଳି ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।