ଓଡ଼ିଶା

ମାହାଙ୍ଗା ବ୍ଲକର ସମସ୍ତ ୪ଟି ଜିଲ୍ଲା ପରିଷଦ ଆସନକୁ ପୋଛି ନେଲା ବିଜେଡି

ମାହାଙ୍ଗା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାହାଙ୍ଗା ବ୍ଲକ୍‌ର ସମସ୍ତ ୪ଟି ଜିଲ୍ଲା ପରିଷଦ ଆସନକୁ ବିଜେଡି ପୋଛି ନେଇଛି। ଅଧିକାଂଶ ସମିତି ସଭ୍ୟ ପଦକୁ ବିଜେଡି ସମର୍ଥିତ ପ୍ରାର୍ଥୀ ଅକ୍ତିଆର କରିଥିବା କୁହାଯାଉଛି। ଫଳରେ ବିଜେଡି ସମର୍ଥିତ ସମିତି ସଭ୍ୟ ହିଁ ପଞ୍ଚାୟତ ସମିତି ଦଖଲ କରିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି।
ପ୍ରକାଶଥାଉ କି, ମାହାଙ୍ଗା ବ୍ଲକ୍‌ର ୩୯ ନମ୍ବର ଜୋନ୍‌ରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ମୁର୍ସିଦ୍‌ ରିଆଜୁଲ୍‌ ହୋଦା ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ‌ପ୍ରତିମା ବାରିକଙ୍କୁ ୧୦ ହଜାର ୫୨୯ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ବିଜୟୀ ହୋଇଥିଲେ। ସେହିପରି ୪୦ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ସୁସ୍ମିତା ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ତଥା କଟକ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନାଙ୍କୁ ୩ ହଜାର ୬୫୦ ଭୋଟ୍‌, ୪୧ ନମ୍ବର ଜୋନ୍‌ରେ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ଜଗବନ୍ଧୁ ସେଠୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ‌ତଥା ପୂର୍ବତନ ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷା କନକଲତା ବେହେରାଙ୍କୁ ୭ ହଜାର ୬୩୧ ଭୋଟ୍‌ ଓ ୪୨ ନମ୍ବର ଜୋନ୍‌ରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ର˚ଜିତ କୁମାର ସାହୁଙ୍କୁ ୭ ହଜାର ୫୨୦ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ଗତ ବିଧାନସଭା ନିର୍ବାଚନରେ ମାହାଙ୍ଗା ବ୍ଲକ୍‌ର ୩୭ଟି ପଞ୍ଚାୟତରୁ ବିଜେଡି ପ୍ରତିଦ୍ବନ୍ଦ୍ବୀ ବିଜେପି ଠାରୁ ୯ ହଜାରରୁ ଅଧିକ ଭୋଟ୍‌ ପାଇଥିଲା। ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପିଠାରୁ ବିଜେଡି ୨୯ ହଜାର ୩୩୦ ଖଣ୍ଡ ଅଧିକ ଭୋଟ ପାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ, ନିର୍ମଳ ଶାସନ ଏବଂ ମାହାଙ୍ଗା ବିଧାୟକ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଲୋକପ୍ରିୟତା, ସା˚ଗଠନିକ ଦକ୍ଷତା ଓ ବିକାଶ କାର୍ଯ୍ୟ ଯୋଗୁଁ ବିରୋଧୀମାନେ ଧୂଳିସାତ୍‌ ହୋଇଥିଲା ବେଳେ ୨୦୦୯ରୁ ବିଜେଡି ଅଧିକ ଶକ୍ତିଶାଳୀ ହୋଇଥିବା ଆଲୋଚନା ହେଉଛି। ସେହିପରି ମନ୍ତ୍ରୀ ଶ୍ରୀ ଜେନାଙ୍କ ସାଂଗଠନିକ ଦକ୍ଷତା ଯୋଗୁଁ ତୃତୀୟ ଥର ପାଇଁ ବିଜେଡି ମାହାଙ୍ଗା ପଞ୍ଚାୟତ ସମିତି ଗଠନ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ମାହାଙ୍ଗା ବ୍ଲକ୍‌ର ୩୭ଟି ପଞ୍ଚାୟତ ମଧ୍ୟରୁ ବିଜେଡି ସମର୍ଥନରେ ପ୍ରାର୍ଥୀ ହୋଇଥିବା ୩୩ଜଣ ସରପଞ୍ଚ ଏବଂ ୨୭ଜଣ ସମିତି ସଭ୍ୟ ପ୍ରାର୍ଥୀ ବିଜୟ ଲାଭ କରିଥିବା କୁହାଯାଉଛି। ମାହାଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ନିମନ୍ତେ ୧୯ଜଣ ସମିତି ସଭ୍ୟଙ୍କ ଆବଶ୍ୟକତା ରହିଛି। ବିଜେଡି ସମର୍ଥନରେ ଢେର୍‌ ଅଧିକ ପ୍ରାର୍ଥୀ ବିଜୟୀ ହୋଇଥିବାରୁ ଦଳ ପଞ୍ଚାୟତ ସମିତି ଗଢ଼ିବା ସ୍ପଷ୍ଟ ହୋଇଥିବା ଆଲୋଚନା ଜୋର୍‌ ଧରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com