ଜାତୀୟ

ଆମେରିକୀୟ ଅଞ୍ଚଳ ଗୁଆମ୍‌ରେ ପହଞ୍ଚିବା ଭଳି ସାମର୍ଥ୍ୟ ଥିବା କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ସୁନିଶ୍ଚିତ କଲା ଉତ୍ତର କୋରିଆ

ସିଓଲ୍‌() ଯୁକ୍ତରାଷ୍ଟ୍ର ଆମେରିକୀୟ ଅଞ୍ଚଳ ଗୁଆମ୍‌ରେ ପହଞ୍ଚିବା ଭଳି ସାମର୍ଥ୍ୟ ଥିବା ‘ଇଣ୍ଟର୍‌ମିଡିଏଟ୍‌-ରେଞ୍ଜ୍‌ ବାଲିଷ୍ଟିକ୍‌ ମିସାଇଲ୍‌’ ପରୀକ୍ଷା କରିଥିବା କଥା ଆଜି ଉତ୍ତର କୋରିଆ ସୁନିଶ୍ଚିତ କରିଛି। ଏହା ହେଉଛି ଚଳିତ ବର୍ଷ ଉତ୍ତର କୋରିଆର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅସ୍ତ୍ର ପରୀକ୍ଷା।

ରାଷ୍ଟ୍ରାୟତ ‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ କହିଛି ଯେ, ରବିବାର ଦିନ ପରୀକ୍ଷା ହୋଇଥିବା ‘ହ୍ବାସୋଙ୍ଗ୍‌-୧୨’ କ୍ଷେପଣାସ୍ତ୍ରର ଉଦ୍ଦେଶ୍ୟ ଥିଲା ଉତ୍ପାଦନ କରାଯାଇ ମୁତୟନ କରାଯାଉଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଚୟନ କରି ତା’ର ମୂଲ୍ୟାୟନ କରିବା ଏବଂ ସେଗୁଡ଼ିକର ସାମଗ୍ରିକ ତଥା ସଠିକ୍‌ ଲକ୍ଷ୍ୟଭେଦ କ୍ଷମତା ଯାଞ୍ଚ କରିବା।

‘କୋରିଆନ୍‌ ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ଆହୁରି ମଧ୍ୟ କହିଛି ଯେ, କ୍ଷେପଣାସ୍ତ୍ରର ‘ୱାର୍‌ହେଡ୍‌’ରେ ଖଞ୍ଜା ଯାଇଥିବା କ୍ୟାମେରାଟି ମହାକାଶରୁ ପୃଥିବୀର ଫଟୋ ଉତ୍ତୋଳନ କରିଛି। ‘ଏକାଡେମି ଅଫ୍‌ ଡିଫେନ୍‌ସ୍‌ ସାଇନ୍‌ସ୍‌’ର ଏହା ଏହାର ଲକ୍ଷ୍ୟଭେଦୀ କ୍ଷମତା, ନିରାପତ୍ତା ଏବଂ ଅସ୍ତ୍ର ପରୀକ୍ଷା ଅଭିଯାନର ଫଳପ୍ରଦତାକୁ ସୁନିଶ୍ଚିତ କରିଛି।

ଉତ୍ତର କୋରିଆ କହିଛି, ତାହାର ପୂର୍ବ ଉପକୂଳରେ ଥିବା ଜଳରାଶି ମଧ୍ୟକୁ ଉକ୍ତ କ୍ଷେପଣାସ୍ତ୍ରଟି ନିକ୍ଷେପ କରାଯାଇଥିଲା। କ୍ଷେପଣାସ୍ତ୍ରଟି ଯେମିତି ଅନ୍ୟ ଦେଶ ଉପର ଦେଇ ନ ଯାଏ, ସେଥିପାଇଁ ତାହାକୁ ‘ହାଇ ଆଙ୍ଗଲ୍‌’ରେ ଉତ୍‌କ୍ଷେପଣ କରାଯାଇଥିଲା। ଏହାଛଡ଼ା, ଉତ୍ତର କୋରିଆ କ୍ଷେପଣାସ୍ତ୍ର ବାବଦରେ ଅନ୍ୟ କୌଣସି ବିବରଣୀ ଦେଇନାହିଁ।

କିନ୍ତୁ, ଦକ୍ଷିଣ କୋରିଆ ଏବଂ ଜାପାନ କରିଥିବା କଳନା ଅନୁସାରେ, ଉକ୍ତ ‌କ୍ଷେପଣାସ୍ତ୍ରଟି ପ୍ରାୟ ୮୦୦ କିଲୋମିଟର୍‌ ଗତି କରି କୋରୀୟ ଉପଦ୍ବୀପ ଏବଂ ଜାପାନ ଜଳରାଶି ମଧ୍ୟରେ ପଡ଼ିବା ପୂର୍ବରୁ ମହାଶୂନ୍ୟରେ ୨୦୦୦ କିଲୋମିଟର୍‌ ଉଚ୍ଚକୁ ଯାଇଥିଲା।

ରବିବାର ଦିନ ପରୀକ୍ଷିତ ଉକ୍ତ କ୍ଷେପଣାସ୍ତ୍ରଟି ଥିଲା ଜାନୁଆରି ମାସରେ ଉତ୍ତର କୋରିଆର ୭ମ କ୍ଷେପଣାସ୍ତ୍ର ପରୀକ୍ଷଣ। ଏହି କ୍ଷେପଣାସ୍ତ୍ର ଉତ୍ତର ଏସିଆ ଏବଂ  ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ଆମେରିକାର ସାମରିକ ଘାଟି ଏବଂ ଆମେରିକୀୟ ଅଞ୍ଚଳକୁ ମଧ୍ୟ ଗତି କରିବାର ସାମର୍ଥ୍ୟ ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com