ଅନ୍ତର୍ଜାତୀୟଜାତୀୟ

ପ୍ରତିବନ୍ଧକରେ ଭାଙ୍ଗିଲା ୭୦ ବର୍ଷର ରେକର୍ଡ ! ଋଷିଆ ଉପରେ ଲାଗୁ ପାଶ୍ଚାତ୍ୟ କଟକଣାରେ ଉତ୍ତରକୋରିଆ ଓ ଚୀନ୍ ମଧ୍ୟ ସ୍ତବ୍ଦ

ନୂଆଦିଲ୍ଲୀ() ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରି ଏବେ ସାରା ବିଶ୍ୱରେ ନିନ୍ଦିତ ହେଉଛି ଋଷିଆ। ଯୁଦ୍ଧ ଲାଗି ଋଷିଆର ନିଷ୍ପତ୍ତିକୁ ନେଇ ସାରା ଦୁନିଆ ମଧ୍ୟ ଏବେ ଚିନ୍ତିତ। କାରଣ ଯୁଦ୍ଧକୁ ଏବେ ୧୮ ଦିନ ପୁରିଥିଲେ ବି ବନ୍ଦ ହେବାର କୌଣସି ସଂକେତ ମିଳୁ ନାହିଁ। ୟୁକ୍ରେନ ଉପରେ ଋଷିଆର କମାଣ ଓ ବିମାନ ବୋମା ବର୍ଷି ଚାଲିଛନ୍ତି। ୟୁକ୍ରେନର ସହର ପରେ ସହର ଧ୍ୱଂସ ହେବାରେ ଲାଗିଛି। ଏଣୁ ଋଷ କାର୍ଯ୍ୟରେ ଅସନ୍ତୁଷ୍ଟ କମ୍ପାନୀମାନେ ଦେଶରେ ସେମାନଙ୍କ ବେପାର ବନ୍ଦ କରିଦେଲେଣି। ଏଥିରେ ପାଶ୍ଚାତ୍ୟ ଦେଶମାନଙ୍କର କଟକଣାରେ ଋଷିଆ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି।

ଇୟୁରୋପୀୟ ଦେଶ ଋଷିଆ ଉପରେ ଆର୍ଥିକ କଟକଣା ଲାଗୁ କରୁଥିବା ବେଳେ ଏବେ କଟକଣା ସଂଖ୍ୟା ଏତେ ହୋଇଗଲାଣିଯେ ଗତ ୭୦ ବର୍ଷର ରେକର୍ଡ ଭାଙ୍ଗି ଯାଇଛି। ଗତ ୭୦ ବର୍ଷରେ ଏତେମାତ୍ରାରେ କଟକଣା ବିଶ୍ୱର କୌଣସି ଦେଶ ଉପରେ ଜାରି ହୋଇନାହିଁ। କୁହାଯାଉଛି ଗତ ୮ବର୍ଷରେ ଉତ୍ତର କୋରିଆ ଉପରେ ଆମେରିକା ଯେତିକି କଟକଣା ଲଗାଇଥିଲା ଏବେ ଋଷିଆ ଉପରେ ଏହାଠୁ ଅନେକ ଗୁଣା ଅଧିକ କଟକଣା ଜାରି ହୋଇସାରିଲାଣି। କେବଳ ଉତ୍ତର କୋରିଆ ନୁହେଁ ଏପର୍ଯ୍ୟନ୍ତ ପାଶ୍ଚାତ୍ୟ କଟକଣାର ସମ୍ମୁଖୀନ ହୋଇଥିବା ମ୍ୟାଁମାର, ଚିଲ୍ଲି, କ୍ୟୁବା, ଚୀନ୍, ଇରାନ ଓ ସିରିଆ ଉପରେ ଯେତିକି କଟକଣା ଲାଗୁ ହୋଇଛି ତାଠାରୁ ମଧ୍ୟ ଅନେକ ଗୁଣା ଅଧିକ କଟକଣା ଏବେ ଋଷିଆ ଉପରେ ଜାରି ହୋଇଛି।

ପାଶ୍ଚାତ୍ୟ ଦେଶମାନଙ୍କର କଟକଣା ଯୋଗୁ ମାତ୍ର ଦିନ କେଇଟାରେ ଋଷିଆର ଜିଡିପି ୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେଲାଣି। ଏହି ସବୁ କଟକଣା ଯୋଗୁ ଋଷିଆର ଅର୍ଥ ବ୍ୟବସ୍ଥା ଏବେ ନାନା ସମସ୍ୟାର ସମ୍ମୁଖୀନ ହେଉଛି। ଏଥିରୁ ଦେଶ ଆଗକୁ ଡିଫଲ୍ଟର ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ଆଗାମୀ ମେ ମାସ ବେଳକୁ ଋଷିଆ ଦେବାଳିଆ ହୋଇସାରିଥିବ ବୋଲି ଅନ୍ତର୍ଜାତୀୟ ସଂସ୍ଥା ଆକଳନ କରୁଛନ୍ତି। ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଫେବୃଆରୀ ୨୪ ତାରିଖ ଦିନ ୟୁକ୍ରେନ ବିରୋଧରେ ସ୍ୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିଲେ। ଏହା ସହ ଋଷିଆ ସୈନିକ ଉତ୍ତର-ପୂର୍ବ ୟୁକ୍ରେନ ସମେତ ଡୋନୋଟେସ୍କ ଓ ଲୁହାଂସ୍କ ଉପରେ ଆକ୍ରମଣ କରିଥିଲେ।

ଆମେରିକା ଏବେ ଋଷିଆର ମାନ୍ୟତା ପ୍ରାପ୍ତ ବ୍ୟବସାୟ ବୁଡେଇ ଦେବାକୁ ଯୋଜନା କରିଛି। ଏଥିରେ ଋଷିୟ ମଦ, ସାମୁଦ୍ରିକ ଖାଦ୍ୟ ପଦାର୍ଥ ଓ ହୀରା ଆମଦାନୀ ଉପରେ କଟକଣା ଲଗାଇ ଦେଇଛି। କେବଳ ଆମେରିକା କି ଇୟୁରୋପୀୟ ଦେଶ ନୁହନ୍ତି ଜି-୭ ସମୂହ ମଧ୍ୟ ଋଷିଆକୁ ମିଳିଥିବା ମୋଷ୍ଟ ଫେଭର୍ଡ ନେସନ (ଏମଏଫଏନ) ଷ୍ଟାଟସ ମଧ୍ୟ କାଢି ନେବେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହେଲାଣି। ହୁଏତ ଜି-୭ ନେତା ଜୋ ବାଇଡେନ ଏ ବାବଦେ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି ବୋଲି ଏବେ ଅନୁମାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com