ଜାତୀୟରାଜନୀତି

ସମଗ୍ର ଭାରତବର୍ଷରେ ମାତ୍ର ୨ଟି ରାଜ୍ୟରେ କ୍ଷମତାରେ ରହିଛି କଂଗ୍ରେସ, ୨୦୨୩ ସୁଦ୍ଧା ମୂଳପୋଛ ହୋଇଯିବ ନା ଉଧେଇବ

ନୂଆଦିଲ୍ଲୀ: ଦେଶର ସର୍ବପୂରାତନ ଦଳ କଂଗ୍ରେସ ବର୍ତ୍ତମାନ ବଡ଼ ସଙ୍କଟ ଦେଇ ଗତି କରୁଛି । ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଏହା ପୁନର୍ବାର ପ୍ରମାଣିତ କରିଛି । ଗତ ୨୦୧୯ରେ ସମଗ୍ର ଦେଶରେ କଂଗ୍ରେସ ୫ଟି ରାଜ୍ୟରେ ଶାସନ କରୁଥିଲା । ପରେ ୨୦୨୦ରେ ଏହା ୪, ୨୦୨୨ରେ ଏହା ୩କୁ ଖସି ଆସିଥିଲା । ବର୍ତ୍ତମାନ ଦେଶର ମାତ୍ର ଦୁଇଟି ରାଜ୍ୟ ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଶାସନ ରହିଛି । ଯଦି ଦଳର ସ୍ଥିତିରେ ସୁଧାର ନଆସେ, ତେବେ ୨୦୨୩ରେ ଏହି ଦୁଇ ରାଜ୍ୟକୁ ଯେ କଂଗ୍ରେସ ନ ହରାଇବ ସେକଥା କିଏ କହିବ?
ସମଗ୍ର ଭାରତବର୍ଷରେ କଂଗ୍ରେସ ଯଦି ଗୋଟିଏ ବି ରାଜ୍ୟରେ ସରକାର ଗଠନ କରି ନପାରିବ, ତେବେ ଏହା ଇତିହାସରେ ପ୍ରଥମ ଘଟଣା ହେବ । ୬୦ ବର୍ଷ ଧରି ଭାରତକୁ ଶାସନ କରିଥିବା, କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବ୍ୟାପ୍ତ ଥିବା ଏହି ଦଳର ଅବସ୍ଥା ସତରେ ସଙ୍କଟଜନକ । ନିକଟରେ ସମାପ୍ତ ହୋଇଥିବା ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନରେ ମୋଟ ୪୦୩ଟି ସିଟରୁ କଂଗ୍ରେସ ମାତ୍ର ୨ଟି ସିଟ୍ ପାଇଥିଲା । ଦିନକୁ ଦିନ ପ୍ରତ୍ୟେକ ରାଜ୍ୟରେ ଅନ୍ତଃକନ୍ଧଳ ବଢ଼ିବା ସହ ଦଳର ସ୍ଥିତି ଦୁର୍ବଳ ହେବାରେ ଲାଗିଛି ।
ଅପରପକ୍ଷେ କଂଗ୍ରେସର ଅଧପତନ ହେବା ଫଳରେ ବିଜେପି ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ତେବେ ଗାନ୍ଧୀ ପରିବାର ହାତରେ ଦଳର ରିମୋଟ୍ ରହିବା କାରଣରୁ ପ୍ରଦର୍ଶନ ହ୍ରାସ ପାଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଲାଣି । ଏନେଇ ନିକଟରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ପୁଣି କଂଗ୍ରେସର ଡୋରି ଗାନ୍ଧୀ ପରିବାର ହାତରେ ରହିବ ବୋଲି ନିଷ୍ପତ୍ତି ହୋଇଛି । କଂଗ୍ରେସର ଏହି ନିମ୍ନମୁଖୀ ଜୟଯାତ୍ରା ଯଦି ଜାରି ରୁହେ, ତେବେ ବିଜେପିର ନାରା ‘କଂଗ୍ରେସ ମୁକ୍ତ ଭାରତ’ ସଫଳ ହେବାକୁ ଆଉ ବେଶୀ ଦିନ ନୁହେଁ ।

Related Articles

Back to top button
WP Twitter Auto Publish Powered By : XYZScripts.com