ନୂଆଦିଲ୍ଲୀ: ପେଟ୍ରୋଲ୍-ଡିଜେଲ୍, ଗ୍ୟାସ୍ ପରେ ଏପ୍ରିଲରୁ ମହଙ୍ଗା ହେବ ଔଷଧ ଦାମ୍ । ଆସନ୍ତା ଏପ୍ରିଲ୍ ୧ରୁ ଏହି ଦର ବୃଦ୍ଧି ହେବ । ପ୍ରାୟ ୮୦୦ ଔଷଧର ମୂଲ୍ୟ ୧୦.୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ । ନ୍ୟାସନାଲ୍ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି ୨୫ ମାର୍ଚ୍ଚରେ ମୂଲ୍ୟ ବୃଦ୍ଧି ନେଇ ଘୋଷଣା କରିଥିଲେ । ଜ୍ବର, ହୃଦରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ ଓ ଆନିମିଆ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଦାମ ବଢ଼ିବ । ଅର୍ଥାତ୍ ପାରାସିଟାମଲ୍, ସିପରୋଫ୍ଲୋକ୍ସାସିନ୍ ହାଇଡ୍ରୋକ୍ଲୋରାଇଡ୍, ମେଟ୍ରୋନିଡାଜୋଲ, ଫିନାଇଟୋଇନ୍ ସୋଡିୟମ୍ ଭଳି ଔଷଧ ଦାମ ମହଙ୍ଗା ହୋଇଯିବ । ଏହା ବାଦ କରୋନା ମହାମାରୀର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ଦାମ ମଧ୍ୟ ବଢ଼ିଯିବ । ବିଗତ ୨ ବର୍ଷ ମଧ୍ୟରେ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା ସାମଗ୍ରୀର ଦର ୧୫ରୁ ୧୩୦ ପ୍ରତିଶତ ବଢ଼ିଛି । ପାରାସିଟାମଲ୍ ଦର ମଧ୍ୟ ୧୩୦ ପ୍ରତିଶତ ବୃଦ୍ଧି ପାଇଛି । ଏହାବାଦ ସିରପ୍ ଓ ଓରାଲ୍ ଡ୍ରପ୍ ସହ ଅନ୍ୟ ଔଷଧରେ ବ୍ୟବହୃତ ଗ୍ଲିସରିନ୍ ଦାମ ୨୬୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କଞ୍ଚାମାଲ ଦରବୃଦ୍ଧି ପରେ ଗତବର୍ଷ ଫାର୍ମା କମ୍ପାନୀ ଔଷଧ ଦର ବୃଦ୍ଧି ଦାବି କରିଥିଲେ ଯାହାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।