ଜାତୀୟ

୪୫୦ ଟଙ୍କା ହେଲା Paytm ଷ୍ଟକର ଟାର୍ଗେଟ୍ ପ୍ରାଇସ୍, ବିଲିୟନେୟରଙ୍କ ସୂଚୀରୁ ବିଜୟ ଶେଖର ବାଦ

ମୁମ୍ବାଇ()  ଭାରତରେ ଡିଜିଟାଲ ପେମେଣ୍ଟ ସେବା ଯୋଗାଇ ଦେଉଥିବା କମ୍ପାନୀ ‘ପେଟିଏମ’ର ଭଲ ଦିନ ଆଉ ଫେରିବା ପରି ମନେ ହେଉ ନାହିଁ। ଲିଷ୍ଟିଂ ପରଠାରୁ ପେଟିଏମ ସେୟାର ମୂଲ୍ୟରେ ପ୍ରାୟ ୭୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଫଳରେ କମ୍ପାନୀ ସଂସ୍ଥାପକ ବିଜୟ ଶେଖର ଶର୍ମା ଦେଶର ବିଲିୟନେୟରଙ୍କ ସୂଚୀରୁ ଏବେ ବାଦ ପଡିଛନ୍ତି। ଏଥିରେ ପୁଣି କମ୍ପାନୀକୁ ଏକ ଝଟକା ଲାଗିଛି। ପେଟିଏମ ଷ୍ଟକର ଟାର୍ଗେଟ୍ ପ୍ରାଇସକୁ ମେକ୍ୱାରୀ କ୍ୟାପିଟାଲ ସିକ୍ୟୋରିଟିଙ୍କ ଆନାଲିଷ୍ଟ ରିଭାଇଜ କରି ୪୫୦ ଟଙ୍କା କରିଦେଇଛନ୍ତି।

ଦେଶରେ ୧୮ ହଜାର ୩୦୦ କୋଟି ଟଙ୍କାର ଆଇପିଓ ଆଣିଥିବା ପେଟିଏମ୍ ଙ୍କ ସେୟାର ଗତ ୨୦୨୧ ମସିହା ନଭେମ୍ବର ୧୮ ତାରିଖରେ ଲିଷ୍ଟିଂ ହୋଇଥିଲା। ଏହାର ଲିଷ୍ଟିଂ ଇସ୍ୟୁ ପ୍ରାଇସ୍ ୨ହଜାର ୧୫୦ ଟଙ୍କାରୁ ୯ ପ୍ରତିଶତ ହ୍ରାସ ମୂଲ୍ୟରେ ଖୋଲିଥିଲା। ତେବେ ସେତେବେଳେ କମ୍ପାନୀ ଅଥବା ଏହାର ସଂସ୍ଥାପକ ଲିଷ୍ଟିଂ ଦିନରୁ ସେମାନଙ୍କର ଖରାପ ସମୟ ଆରମ୍ଭ ହେଉଥିବା କଳନା ବି କରିନଥିଲେ। ହେଲେ ସେଇଆ ହିଁ ହେଲା, ପେଟିଏମ୍‌ରେ ନିବେଶ କରି ଏବେ ନିବେଶକ କାନ୍ଦୁଥିବା ବେଳେ କମ୍ପାନୀର ବଜାର ପୁଞ୍ଜିକରଣ ଏବେ ୧ ଲକ୍ଷ କୋଟି ଟଙ୍କାରୁ ବି ଅଧିକ ହ୍ରାସ ହୋଇ ସାରିଲାଣି।

ସେପଟେ ପେଟିଏମରେ ନିବେଶ କରି ଏହାର ଶେୟାର ମୂଲ୍ୟ ବଢିବ ବୋଲି ଆଶା ବାନ୍ଧି ବସିଥିବା ନିବେଶକ ଦିନକୁ ଦୁଇଗୁଣା ଓ ରାତିକୁ ୪ ଗୁଣା କ୍ଷତିରେ ପଡିଛନ୍ତି। ଗତ କିଛି ଦିନ ପୂର୍ବେ ପ୍ରଥମ ଥର ଏହାର ଶେୟାର ମୂଲ୍ୟ ୮୦୦ ଟଙ୍କା ତଳକୁ ଖସି ଯାଇଥିଲା। ଏବେ ମେକ୍ୱେରୀ କ୍ୟାପିଟାଲ ସିକ୍ୟୋରିଟିଜ (ଇଣ୍ଡିଆ) ତାଙ୍କର ଟାର୍ଗେଟ ପ୍ରାଇସକୁ ଆହୁରି ହ୍ରାସ କରିଦେଇଛନ୍ତି। ଟାର୍ଗେଟ୍ ପ୍ରାଇସ ହ୍ରାସ ଏବେ ନିବେଶକଙ୍କ ପରିସ୍ଥିତିକୁ ଅଧିକ ଜଟିଳ କରିଛି।

ବୁଧବାର ଆସିଥିବା ଫୋର୍ବସ୍‌ଙ୍କ ରିପୋର୍ଟ ଅନୁସାରେ ବିଜୟ ଶେଖର ଶର୍ମାଙ୍କ ସମ୍ପତ୍ତି ପେଟିଏମ ଲିଷ୍ଟିଂ ପୂର୍ବରୁ ୨.୩୫ ବିଲିୟନ ଡଲାରର ଉଚ୍ଚତମ ସ୍ତରରେ ଥିଲା। ଯାହା ଲିଷ୍ଟିଂ ପରଠାରୁ ହ୍ରାସ ହୋଇ ହୋଇ ଏବେ ୯୯.୯ କୋଟି ଡଲାରରେ ସୀମିତ ହୋଇଯାଇଛି। ଲିଷ୍ଟିଂ ଦିନଠାରୁ ବିଜୟ ଶେଖର୮୮ କୋଟି ଟଙ୍କାର କ୍ଷତିରେ ପଡିଲେଣି। ଆଇପିଓ ମାଧ୍ୟମରେ ପେଟିଏମ ୧୮ ହଜାର ୩୦୦ କୋଟି ଟଙ୍କା ସଂଗ୍ରହ କରିଥିଲେ। ଫଳରେ ନଭେମ୍ବର ୧୮ ତାରିଖ ଦିନ କମ୍ପାନୀ ୧.୩୯ ଲକ୍ଷ କୋଟି ମାର୍କେଟ କ୍ୟାପିଟାଲ ସହ ଦେଶର ଶୀର୍ଷ ୫୦ କମ୍ପାନୀଙ୍କ ସୂଚୀରେ ସ୍ଥାନ ପାଇଥିଲେ। ତେବେ ତା ପରଠାରୁ କ୍ରମାଗତ ହ୍ରାସର ସମ୍ମୁଖୀନ ହୋଇଚାଲିଛି।

Related Articles

Back to top button
WP Twitter Auto Publish Powered By : XYZScripts.com